ସମ୍ବଲପୁରରେ ଜିତିଲେ ଧର୍ମେନ୍ଦ୍ର ପ୍ରଧାନ; ଜାଣନ୍ତୁ ଓଡ଼ିଶାରେ ଲୋକସଭା ଆସନର ସ୍ଥିତି

ଭୁବନେଶ୍ବର: ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପୁଣି ଥରେ ବିଜେପି ହାତକୁ ଆସିଛି। ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ହାସଲ କରିଛନ୍ତି। ସେ ବିଜେଡିର ପ୍ରଣବ ପ୍ରକାଶ ଦାସଙ୍କୁ ହରାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ୫,୮୪,୮୪୪ ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରଣବ ପ୍ରକାଶ ଦାସଙ୍କୁ ୪,୬୭,୭୭୬ ଖଣ୍ଡ ଭୋଟ ମିଳିଛି। ନଗେନ୍ଦ୍ର ପ୍ରଧାନଙ୍କୁ ୮୮,୩୮୫ ଖଣ୍ଡ ଭୋଟ ମିଳିଛି। ଧର୍ମେନ୍ଦ୍ର ପ୍ରଧାନ ୧,୧୭,୦୬୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ପରାସ୍ତ ହେଲା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପ୍ରଣବ ପ୍ରକାଶ ଦାସ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସମ୍ବଲପୁରର ବିକାଶ ପାଇଁ ଆପଣ ସର୍ବଦା କାମ କରିବେ ବୋଲି ମୋର ଆଶା।

ବିଜୟୀ ହେଲା ପରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ଭାଷାରେ ଟୁଇଟ୍‌ କରି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ୍ ଆଉ ମାଁ ସମଲେଇଙ୍କର୍ ଅପାର୍ କରୁଣା ଲାଗି କୋଟି କୋଟି ପ୍ରଣାମ୍ କରୁଛେଁ । ଆଉ ସମ୍ବଲପୁର୍ ଲୋକସଭା କ୍ଷେତ୍ରର୍ ସବୁ ଭାଏ ବହେନ୍ ମାନେ ସେମାନଙ୍କର୍ ସେବା କରବାର୍ ଲାଗି ଆଶୀର୍ବାଦ୍‌ କରିଥିବାର୍ ଲାଗି ମୁଇଁ କୃତଜ୍ଞତା ଜନଉଁଛେ । ଇ ବିଜୟ ମୋର୍ ନୁହେଁ, ଆପଣ୍ ମାନଙ୍କର୍ ସମସ୍ତଙ୍କର୍ । ଲୋକପ୍ରିୟ ଜନନାୟକ୍ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କର୍ ଉପରେ ଆସ୍ଥା ଆଉ ମୋର୍ ଉପରେ ଭରସା ରଖି କରି ଭୋଟ୍ ଦେଇକରି ଜିତେଇ ଥିବାର୍ ଲାଗି ମୁଇଁ ସବୁ ଦିନର ଲାଗି ଆପଣ୍ ମାନଙ୍କର୍ ପାଖେ ୠଣୀ ରହେମି । ସବୁ ବିଜେପି କାର୍ଯ୍ୟକର୍ତ୍ତା ମାନକୁଁ ଇ ଐତିହାସିକ୍ ବିଜୟ ଲାଗି ଅଭିନନ୍ଦନ୍ ଆଉ ଶୁଭେଚ୍ଛା ।

ଭାରତୀୟ ଜନତା ପାର୍ଟି ଏହି ନିର୍ବାଚନରେ ଫୁଲ ପୁଟାଇଛି। ଭୁବନେଶ୍ବର, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ମୟୂରଭଂଜ, ସୁନ୍ଦରଗଡ଼, ‌‌ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନବରଂଗପୁର, ବ୍ରହ୍ମପୁର, ଆସ୍କା, କନ୍ଧମାଳ, ଢେଙ୍କାନାଳରେ ବିଜେପି ଆଗୁଆ ରହିଛି। ଯାଜପୁରରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଓ କୋରାପୁଟରେ କଂଗ୍ରେସର ସପ୍ତଗିରି ଉଲ୍ଲାକା ପଛରେ ଅଛନ୍ତି।

ସମ୍ବନ୍ଧିତ ଖବର