ସ୍ମିତାରାଣୀ ମୃତ୍ୟୁ ମାମଲା : ମହିଳା କମିସନ ଘେରିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ସ୍ମିତାରାଣୀ ମୃତ୍ୟୁ ମାମଲାରେ ମହିଳା କମିସନ ତରବରିଆ ଭାବରେ ତଦନ୍ତ ସାରି ଦେଇଛନ୍ତି। ଘଟଣାସ୍ଥଳକୁ ନ ଯାଇ ତଦନ୍ତ ସାରିଛନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚ। ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ଶତାଧିକ ମହିଳା ନେତ୍ରୀ ଆଜି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରାଙ୍କ ଇସ୍ତଫା ଦାବି କରି ମହିଳା କମିସନ କାର୍ଯ୍ୟାଳୟ ଘେରାଉ କରିଥିଲେ। ଦୀର୍ଘ ସମୟ ଧରି ତୋଷାଳି ପ୍ଲାଜା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯଦି ମହିଳା କମିସନ ନିରପେକ୍ଷ ତଦନ୍ତ କରିଛନ୍ତି ତେବେ ରିପୋର୍ଟକୁ ସାର୍ବଜନୀନ କରିବା ସହ ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ଦାବି କରିଥିଲେ। ଏଥିସହ ଯାଜପୁର ଏସ୍‌ପି ଯେପରି ଗଣମାଧ୍ୟମ ଆଗରେ ମୃତା ସ୍ମିତାରାଣୀଙ୍କ ଚରିତ୍ର ସଂହାର କରିଛନ୍ତି, ତାଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ମହିଳା କମିସନ ଅଧ୍ୟକ୍ଷା ନିଜ ପଦବିର ମର୍ଯ୍ୟାଦାହାନୀ କରିଥିବା ଅଭିଯୋଗ କରିବା ସହ ଅଧ୍ୟକ୍ଷା ତୁରନ୍ତ ଇସ୍ତଫା ନ ଦେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବ ବୋଲି ମୋର୍ଚ୍ଚା ଚେତାବନୀ ଦେଇଛି।

ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାତି ପରିଡ଼ାଙ୍କ ଅଭିଯୋଗ ମୁତାବକ, ଗତ ୧୯ ତାରିଖରେ ମହିଳା କମିଶନ ଅଧ୍ୟକ୍ଷା ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲି କହିବା ସଂପୂର୍ଣ୍ଣ ମିଥ୍ୟା। ଯଦି ସେ ତଦନ୍ତ କରିବା ପାଇଁ ଯାଇଥିଲେ ତା’ହେଲେ ତଦନ୍ତ ବେଳେ କାହାକୁ ଭେଟିଲେ? ମହିଳା କମିଶନ ଅଧ୍ୟକ୍ଷା ସ୍ମୀତାରାଣିଙ୍କର ଗାଁକୁ ବି ଯାଇନାହାନ୍ତି ବୋଲି ସେ ଗାଁ ଲୋକ କହିଛନ୍ତି। ମୃତକାଙ୍କ ସ୍ୱାମୀଙ୍କର ବୟାନ ମଧ୍ୟ ରେକର୍ଡ ହୋଇ ନାହିଁ। ବରଂ ମହିଳା କମିସନର ଅଧ୍ୟକ୍ଷା ଆସାମୀ ରୂପେଶ ଭଦ୍ରଙ୍କ ପରିବାରକୁ ଭେଟିଥିଲେ ବୋଲି ସ୍ବୟଂ କମିସନ ଅଧ୍ୟକ୍ଷା ଗଣମାଧ୍ୟମରେ ସୂଚନା ଦେଇଥିଲେ। ସ୍ଥାନୀୟ ଧର୍ମଶାଳା ପୋଲିସ ପାଖରେ ବି ଖବର ନାହିଁ କି ମହିଳା କମିସନ ଅଧ୍ୟକ୍ଷା କେବେ ଆସିଥିଲେ। ଏ ନେଇ ସ୍ଥାନୀୟ ଗଣମାଧ୍ୟମ ପାଖରେ ବି ଖବର ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ମିଛ କହୁଥିବା ମହିଳା କମିସନ ଅଧ୍ୟକ୍ଷା ଓଡ଼ିଶାର ମହିଳାମାନଙ୍କୁ କେବେ ବି ନ୍ୟାୟ ଦେଇପାରିବେ ନାହିଁ ବୋଲି ଶ୍ରୀମତୀ ପରିଡ଼ା ଅଭିଯୋଗ କରିଛନ୍ତି।

ଏହି ଘେରାଉ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ପିଙ୍କି ପ୍ରଧାନ, ବବିତା ପାତ୍ର, ଅନୀତା ଶୁଭଦର୍ଶିନୀ, କାନନବାଳା ପଟ୍ଟନାୟକ, ନିୟତି ଗିରି, ସୋନାଲି ସାହୁ, ସୁବାସିନୀ ପୃଷ୍ଟି, ରଶ୍ମିରେଖା ଦାସ, ମନ୍ଦାକିନୀ ରଥ, ନିରୋଜ ନଳିନୀ ମହାଲ୍ଲିକ, ଯାଜ୍ଞସେନୀ ଜେନା, କଳ୍ପନା ପଟ୍ଟନାୟକ, ମନସ୍ମିତା ଖୁଣ୍ଟିଆ, ଜ୍ୟୋତି ମହାପାତ୍ର, ରାଜଲକ୍ଷ୍ମୀ ଉପାଧ୍ୟାୟଙ୍କ ସମେତ ଶତାଧିକ ମହିଳା ସାମିଲ ଥିଲେ।

ଏ ସମ୍ପର୍କରେ ଅଧ୍ୟକ୍ଷା ମୀନତି ବେହେରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘଟଣାକୁ ଆମେ ଗୁରୁତ୍ବର ସେହ ନେଇଛୁ। ସମ୍ପୃକ୍ତ ଏସ୍‌ପିଙ୍କ ବ୍ୟବହାର ନେଇ ଆମେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛୁ। ଏସ୍‌ପିଙ୍କୁ ଏ ବାବଦରେ ରିପୋର୍ଟ ତଲବ କରାଯାଇଛି। ଯାହା ଆମର ହସ୍ତଗତ ହୋଇନାହିଁ। ହସ୍ତଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିରପେକ୍ଷ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ଲେଖାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର