ପୁଲିସ ଡିଜିଙ୍କୁ ଭେଟିଲେ ବିଜେପି ରାଜ୍ୟ ପ୍ରତିନିଧି ମଣ୍ଡଳୀ: ଅବାଧ ଓ ହିଂସାମୁକ୍ତ ନିର୍ବାଚନ ପାଇଁ ଦାବି

କଟକ : ପଞ୍ଚାୟତ ନିର୍ବାଚନରେ ବଢୁଥିବା ହିଂସାକାଣ୍ଡକୁ ନେଇ ବୁଧବାର ଦିନ ବିଜେପି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ପୁଲିସ ଡିଜି ସୁନିଲ କୁମାର ବଂଶାଲଙ୍କୁ ଭେଟି ଆଲୋଚନା କରିଛନ୍ତି। ରାଜ୍ୟରେ ଶୃଙ୍ଖଳିତ, ଅବାଧ, ହିଂସାମୁକ୍ତ ନିର୍ବାଚନ କରାଇବାରେ ଓଡ଼ିଶା ପୁଲିସ ବିଫଳ ହୋଇଥିବ‌ା ନେଇ ବିଜେପି ଅଭିଯୋଗ କରିଛି।

ରାଜ୍ୟ ଉପସଭାପତି ଭୃଗୁ ବକ୍ସି ପାତ୍ର ଅଭିଯୋଗ କରିଛନ୍ତି କି, ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଓ ପୁଲିସ ଶାସକ ଦଳ ବିଜେଡି ସପକ୍ଷରେ ଭୋଟ ହ‌ାତେଇବାକୁ ପ୍ରୟାସ କରୁଛନ୍ତି। ପୁଲିସର ପକ୍ଷପାତ କାରଣରୁ ସାଧାରଣ ଭୋଟର ନିଜକୁ ଅସୁରକ୍ଷିତ ମଣିଛନ୍ତି। ବହୁ ସ୍ଥାନ‌ରେ ପୁଲିଂ ଅଫିସର, ପ୍ରିଜାଇଡିଂ ଅଫିସର ଏବଂ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନେ ମିଳିମିଶି ଶାସକ ଦଳ ପାଇଁ କାମ କରୁଛନ୍ତି। ପୁଲିସ ଏଥିରେ ସହ‌ଯୋଗ କରୁଛି। ଆଇନ ଭଙ୍ଗକାରୀ ପୁଲିସ ବି‌‌ରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଡିଜିଙ୍କ ନିକଟରେ ବିଜେପି ପ୍ରତିନିଧି ମଣ୍ଡଳୀ ଦାବି ଜଣାଇଥିବା ଶ୍ରୀ ବକ୍ସିପାତ୍ର କହିଛନ୍ତି।

କଟକସ୍ଥିତ ପୁଲିସ ଡିଜିଙ୍କ ମୁଖ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ ତଥା ବରିଷ୍ଠ ନେତା ମନମୋହନ ସାମଲ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ପ୍ରମୁଖ ଡିଜିଙ୍କ ସହିତ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର