ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି: ଦିବ୍ୟଶଙ୍କର ବହିଷ୍କାର ନ ହେବା ଯାଏ ଆନ୍ଦୋଳନ ଚାଲିବ

ମୁଖ୍ୟମନ୍ତ୍ରୀଙ୍କ ପାଟିରେ କିଏ ତାଲା ପକାଇଛି : ସମୀର ମହାନ୍ତି
ପଞ୍ଚାୟତ, ପୌର ନିର୍ବାଚନ ରଣନୀତି ନେଇ ଆଲୋଚନା

ଭୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି‌ରେ ବିଜେପି ତା’ର ‌ଆନ୍ଦୋଳନକୁ ‌ଆହୁରି ଜୋର୍‌ଦାର କରିବ। ମନ୍ତ୍ରୀଙ୍କୁ ବହିଷ୍କାର ନ କରିବା ଯାଏ ଆନ୍ଦୋଳନ ଚାଲିବ। ବୁଧବାର ଦିନ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଦଳ ଦାବି କରିଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଟେଲ୍‌ ପଦ୍ମଜା ପ୍ରିମିୟମ୍ ପରିସରରେ ଏହି କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସାମ୍ପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକ ସମ୍ପର୍କରେ ସୂଚନା ଦେଇ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ‘ବିଜେଡି ଶାସନରେ ମହିଳା, ଶିଶୁ ବିପଦରେ’ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି। ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ରାଜ୍ୟରେ ମହିଳା ହିଂସା ଓ ନିର୍ଯାତନା ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ। ପୁଲିସ ଉପରୁ ଲୋକଙ୍କର ବିଶ୍ୱାସ ତୁଟିଗଲାଣି। ବ୍ୟାପକ ପିସି କାରବାର, ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ରାଜ୍ୟ ସରକାରଙ୍କୁ ଦୃଢ ନିନ୍ଦା କରିବା ସହ ଏହା ବିରୋଧରେ ଜୋରଦାର ଆନ୍ଦୋଳନ କରିବା ପାଇଁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ, ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ, କିନ୍ତୁ ହେଲ୍ଥ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଉଛି। କୋଟି କୋଟି ଟଙ୍କାର ରାଜସ୍ୱ ଖର୍ଚ୍ଚ କରି ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ମଞ୍ଚରେ ବସି ରହି ନିଜ ଭାଷଣର ଭିଡିଓକୁ ନିଜେ ଦେଖି ତାଳି ମଧ୍ୟ ମାରୁଛନ୍ତି।। କିନ୍ତୁ ବିଧାନସଭା ଓ ଲୋକସେବା ଭବନକୁ ଯାଉନାହାନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହିଛନ୍ତି ? ମୁଖ୍ୟମନ୍ତ୍ରୀଙ୍କ ପାଟିରେ କିଏ ତାଲା ପକାଇଛି ?

କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ୍‌ ମ୍ୟାପ୍‌କୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା।

ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ ହୋଇଥିଲା। କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପ୍ରଦୀପ ପୁରୋହିତ ରାଜନୈତିକ ଚିଠା ଆଗତ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ସମର୍ଥନ ଜଣାଇଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ରବି ନାଏକ ଓ ସୁଦର୍ଶନ ନାୟକ ପ୍ରମୁଖ ବିସ୍ତୃତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପ୍ରତି ଅବଦାନ ଓ ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାକୁ ସହାୟତା ନେଇ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ସାଂସଦ ଜୁଏଲ୍‌ ଓରାମ, ବିରୋଧୀ ଦଳ ମୁଖ୍ୟ ସ‌ଚେତନ ମୋହନ ଚରଣ ମାଝୀ, ରାଜ୍ୟ ଉପସଭାପତି ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉପସଭାନେତ୍ରୀ ସୁକେଶୀ ଓରାମ, ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ମୁଖପାତ୍ର ଯତୀନ ମହାନ୍ତି ପ୍ରମୁଖ ବିଭିନ୍ନ ଅଧିବେଶନରେ ଆଲୋଚନାରେ ଭାଗ ନେଇଥିଲେ। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।

ଦୁଇ କେନ୍ଦ୍ର ମନ୍ତ୍ରୀ ଅନୁପସ୍ଥିତ
ଆଜି କାର୍ଯ୍ୟକାରିଣୀ ବୈଠକରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଅନୁପସ୍ଥିତ ଥିଲେ। ଉଭୟ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବେ ବୋଲି ଗତକାଲି ଦଳ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଥିଲା। କିନ୍ତୁ ଆଜି ଦୁଇ ମନ୍ତ୍ରୀ ବୈଠକକୁ ଆସି ନ ଥିଲେ କି ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଯୋଡ଼ି ହୋଇ ନ ଥିଲେ। ତେବେ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ଥିବାରୁ ଦୁଇ ମନ୍ତ୍ରୀ ଆସିପାରି ନ ଥିଲେ ବୋଲି ଦଳୀୟ ନେତାମାନେ କହିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଆଜିର କାର୍ଯ୍ୟକାରିଣୀ ବେଶ୍ ଗୁରୁତ୍ବ ବହନ କରୁଥିଲା। କିନ୍ତୁ ଏଥିରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଅନୁପସ୍ଥିତି ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ସେହିପରି ବରିଷ୍ଠ ନେତା ବିଜୟ ମହାପାତ୍ର ଓ ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ବୈଠକରେ ଅନୁପସ୍ଥିତ ଥିଲେ।

କନିଷ୍ଠଙ୍କୁ ସୁଯୋଗ, ବରିଷ୍ଠ ଶ୍ରୋତା
ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କନିଷ୍ଠ ନେତାମାନଙ୍କୁ ଅଧିକ ସୁଯୋଗ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ପୂର୍ବତନ ମନ୍ତ୍ରୀ, ସାଂସଦ ଓ ବରିଷ୍ଠ ବିଧାୟକମାନେ ଆଗ ଧାଡ଼ିରେ ବସି ଶ୍ରୋତା ସାଜିଥିଲେ। କନିଷ୍ଠ ନେତାମାନେ ପ୍ରସ୍ତାବ ଆଗତ କରିଥିଲେ। ଅବଶ୍ୟ କିଛି ବରିଷ୍ଠ ନେତାଙ୍କୁ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଦାୟିତ୍ବ ଦିଆଯାଇଥିଲା। ଏପରିକି ବୈଠକ ମଝିରେ ହୋଇଥିବା ଦୁଇଟି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ପାଇଁ ମଧ୍ୟ ବରିଷ୍ଠଙ୍କୁ ସୁଯୋଗ ମିଳି ନ ଥିଲା। ଦଳର ଦ୍ବିତୀୟ ଧାଡ଼ିର ନେତାଙ୍କୁ ଆଗକୁ ଛଡ଼ାଯାଇ ପଞ୍ଚାୟତ ନିର୍ବାଚନ ପାଇଁ ଭିନ୍ନ ଢଙ୍ଗରେ ରଣନୀତି ପ୍ରସ୍ତୁତ କରାଯାଉଥିବାର ସଙ୍କେତ ଦିଆଯାଉଛି ବୋଲି ଦଳୀୟ ମହଲରେ ଆଲୋଚନା ଜୋର୍ ଧରିଛି।

ସମ୍ବନ୍ଧିତ ଖବର