ଭୁବନେଶ୍ବର : ମୋଦୀ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ରେଳ ଯୋଗାଯୋଗ, ଦୂରସଞ୍ଚାର, ବିମାନ ଚଳାଚଳ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପୁଳ ସହାୟତା ପ୍ରଦାନ କରିଛନ୍ତି। ଗତ ୮ବର୍ଷରେ ଓଡ଼ିଶାକୁ ପ୍ରଚୁର କେନ୍ଦ୍ରୀୟ ସହାୟତା ଓ ଅନୁଦାନ ମିଳିଛି। ହେଲେ ରାଜ୍ୟ ସରକାର ଏହାକୁ ବାଟମାରଣା କରିଛନ୍ତି। କେନ୍ଦ୍ର ଦେଉଥିବା ବ୍ୟାପକ ଅର୍ଥକୁ ଉପଯୁକ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ବିଜେପି ନେତା ଓ କର୍ମୀମାନଙ୍କୁ ସଜାଗ ପ୍ରହରୀ ହୋଇ କାର୍ଯ୍ୟ କରିବାକୁ ହେବ। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମାଣିତ କରିଦେଇଛନ୍ତି ଯେ, ତାଙ୍କ ବିଶେଷ ଫୋକସ୍ରେ ଓଡ଼ିଶା ଅଛି। ଏହାକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳୀୟ ନେତା ଓ ପଦାଧିକାରୀଙ୍କୁ କହିଛନ୍ତି।
ଆଜି ନିଆଳିର କୁରାଙ୍ଗ ଠାରେ ବସିଥିବା ଦଳର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହିତ ଆଗାମୀ ଦିନରେ ବିଜେପିର ରୋଡ ମ୍ୟାପ ସଂପର୍କରେ ବି ନେତାମାନେ କଥା ହୋଇଥିଲେ। ଗତକାଲି ରାଜ୍ୟ ପଦାଧିକାରୀ ବୈଠକରେ ଆଗତ ହୋଇଥିବା ସମସ୍ତ ପ୍ରସଙ୍ଗରେ ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ପାରିତ କରାଯାଇଥିଲା। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା ଗିରିଧର ଗମାଙ୍ଗ, ପ୍ରଦୀପ ପୁରୋହିତ, ସାଂସଦ ବସନ୍ତ ପଣ୍ତା, ପ୍ରତାପ ଷଡ଼ଙ୍ଗୀ, ବରିଷ୍ଠ ନେତା ଗିରିଧର ଗମାଙ୍ଗ, ପ୍ରଦୀପ ପୁରୋହିତ, ଅନିତା ଶୁଭଦର୍ଶିନୀ, ସୀମାଞ୍ଚଳ ଖଟେଇ, ସିପ୍ରା ବାଜପେୟୀ, ବିରଞ୍ଚି ତ୍ରିପାଠୀ, ପୂର୍ଣ୍ଣିମା ନାୟକ, ଟଙ୍କଧର ତ୍ରିପାଠୀ, ରବି ନାଏକ, ନୟନ ମହାନ୍ତି, ଲଲାଟେନ୍ଦୁ ବଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଓଡ଼ିଶା କିପରି ବିଶେଷ ଭାବେ ଉପକୃତ ହୋଇଛି ସେନେଇ ସମସ୍ତ ସଦସ୍ୟଙ୍କୁ ଅବଗତ କରାଯାଇଛି। ମୋଦୀ ପଠାଉଥିବା ସାହାଯ୍ୟ ଓ ସହାୟତାରୁ ରାଜ୍ୟବାସୀ ଯେପରି ବଞ୍ଚିତ ନହୁଅନ୍ତି ସେ ସମ୍ପର୍କରେ ବ୍ୟାପକ ଖସଡ଼ା ପ୍ରସ୍ତୁତ ପାଇଁ ଆଜିର ବୈଠକରେ ଆଲୋଚନା ହୋଇଛି। ଅପରପକ୍ଷେ ବିଜେଡି ଓଡ଼ିଶା ବିକାଶ ପାଇଁ ନୁହେଁ, କେବଳ କ୍ଷମତା ଦଖଲ ଲକ୍ଷ୍ୟରେ କାର୍ଯ୍ୟ କରୁଥିବାରୁ ଓଡ଼ିଶାର ବିକାଶ ଠପ୍ ହୋଇଯାଇଛି ତାହା କିଭଳି ପ୍ରଭାବୀ ଢଙ୍ଗରେ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚିବ ସେନେଇ ଆଲୋଚନା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/bjp-4.jpg)