ଗୋଷ୍ଠୀସଂଘର୍ଷ ଘଟଣା‌: ଯୋଡ଼ାରେ ବିଜେପି ରାଜ୍ୟସ୍ତରୀୟ ପ୍ରତିନିଧିଦଳ

ଯୋଡ଼ା: ରାମନବମୀ ଝଣ୍ଡାଯାତ୍ରା ବେଳେ ଘଟିଥିବା ଗୋଷ୍ଠୀସଂଘର୍ଷ ଘଟଣାରେ ଆଜି ବିଜେପିର ଏକ ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ଯୋଡ଼ା ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବିଧାୟକ ନବଚରଣ ମାଝୀ ଓ ଡ. ବୁଢ଼ାନ ମୁର୍ମୁ, ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ମନୋହର ଶର୍ମାଙ୍କ ସମେତ ଜିଲ୍ଲାର ନେତୃବୃନ୍ଦମାନେ ଏହି ପ୍ରତିନିଧି ଦଳରେ ସାମିଲ ହୋଇଥିଲେ।

ଏହି ପ୍ରତିନିଧି ଦଳ ଯୋଡ଼ା ହନୁମାନ ହଟିଂ ଓ କୁନ୍ଦୁରୁନାଲା ଅଞ୍ଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। ତମାମ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ଯୋଡ଼ା ୪ ନମ୍ବର ୱାର୍ଡରେ ଥିବା ଶିବମନ୍ଦିରକୁ ଯାଇ ସ୍ଥିତି ପରଖିଥିଲେ। ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସହ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଗୋଷ୍ଠୀସଂଘର୍ଷ ଘଟଣାରେ ପୁଲିସର ଗିରଫଦାରିକୁ ନେଇ ପ୍ରତିନିଧି ଦଳ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅଭିଯୋଗ କରିଛନ୍ତି, ଯେଉଁମାନେ ସେଦିନର ଘଟଣାରେ ସମ୍ପୃକ୍ତ ନଥିଲେ ସେମାନଙ୍କୁ ପୁଲିସ ଗିରଫ କରୁଛି। ଆଗାମୀ ଦିନରେ ଏଭଳି ଘଟଣା ନ ଘଟିବା ଏବଂ ଯୋଡ଼ାରେ ଭାଇଚାରା ବଜାୟ ରଖିବା ପାଇଁ ଉଭୟ ଗୋଷ୍ଠୀ ଯତ୍ନବାନ ହେବାକୁ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। ସେହିପରି ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଏହା  ପ୍ରଶାସନିକ ବ୍ୟବସ୍ଥା ଏବଂ ସରକାରଙ୍କ ବିଫଳତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି। ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଯେଉଁମାନେ ପ୍ରକୃତ ଦୋଷୀ ସେମାନଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି। ରାଜ୍ୟସ୍ତରୀୟ ପ୍ରତିନିଧି ଦଳର ଏହି ଗସ୍ତ ସମୟରେ ଯୋଡ଼ା ନଗର ବିଜେପିର କର୍ମକର୍ତ୍ତା ଓ ଯୋଡ଼ା ପୌରପାଳିକାର ବିଜେପି କାଉନସିଲରମାନେ ଉପସ୍ଥିତ ଥିଲେ।

ଗୋଷ୍ଠୀସଂଘର୍ଷ ଘଟଣାରେ ଆଉ ଦୁଇ ଗିରଫ

ଯୋଡ଼ା ସହରରେ ରାମନବମୀ ଝଣ୍ଡାଯାତ୍ରା ବେଳେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ ଆଜି ଉଭୟ ଗୋଷ୍ଠୀର ଆଉ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଯୋଡ଼ା ମୁସଲିମ ବସ୍ତିର ଏମ୍‌ଡି ୱାସିଦ ଅହମ୍ମଦ ଓ ଯୋଡ଼ା ଏଫ୍‌ଏପି କଲୋନିର ପ୍ରହଲ୍ଲାଦ ରାୟ। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ପୁଲିସ ଏହା ପୂର୍ବରୁ ଏହି ଘଟଣାରେ ଉଭୟ ଗୋଷ୍ଠୀରୁ ୧୧ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର