ବିଜେପିର ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ସମିତି ବୈଠକ: ‘ପଞ୍ଚାୟତ ବ୍ୟବସ୍ଥାର କ୍ଷମତାକୁ ବିଜେଡି ଅପହରଣ କରିଛି’

ଭୁବନେଶ୍ୱର : ପଞ୍ଚାୟତକୁ ‘ମିନି ପାର୍ଲିଆମେଣ୍ଟ ଓ ‘ମିନି ଆସେମ୍ବ୍‌ଲି’ ବୋଲି କୁହାଯାଏ। ପଞ୍ଚାୟତର ନିର୍ଣ୍ଣୟ ଓ ଚୂଡାନ୍ତ ନିଷ୍ପତିକୁ କାର୍ଯ୍ୟକାରୀ କରିବା ଓ ମାନିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବାଧ୍ୟ। ହେଲେ ପଞ୍ଚାୟତ ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ୨୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଓଡିଶାରେ ଏହି ବ୍ୟବସ୍ଥାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇପାରିନି। ରାଜ୍ୟ ସରକାର ପଞ୍ଚାୟତ ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ଜଳାଞ୍ଜଳି ଦେଇ ଗ୍ରାମାଞ୍ଚଳ ବିକାଶରେ ବାଧକ ସାଜିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବିଜେପିର ରାଜ୍ୟ ପଞ୍ଚାୟତିରାଜ ସମିତିର ରାଜ୍ୟ ସଂଯୋଜକ ଶଙ୍କର ପରିଡା କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ପଞ୍ଚାୟତିରାଜ ସମିତିର ଅଧ୍ୟକ୍ଷ ତଥା ପୂର୍ବତନ ପଞ୍ଚାୟତରାଜ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ପରିଡା କହିଛନ୍ତି ଯେ ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସକ୍ରମେ ପଞ୍ଚାୟତ ତଥା ଗ୍ରାମାଞ୍ଚଳର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ପଞ୍ଚାୟତଗୁଡ଼ିକୁ ସିଧାସଳଖ ଆର୍ଥିକ ଅନୁଦାନ ଦିଆଗଲା। ଏହି ବ୍ୟବସ୍ଥାରେ ଓଡିଶାକୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଆସିଛି । କିନ୍ତୁ ପଞ୍ଚାୟତଗୁଡିକରେ ଅମଲାତନ୍ତ୍ରଙ୍କ ସିଧାସଳଖ ହସ୍ତକ୍ଷେପ କାରଣରୁ ଆଜି ଗ୍ରାମାଞ୍ଚଳରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଲୋକଙ୍କୁ କ୍ଷମତା ଦେବା ପରିବର୍ତେ ଶାସକ ବିଜେଡି ପଞ୍ଚାୟତରାଜ ବ୍ୟବସ୍ଥାର କ୍ଷମତାକୁ ଅପହରଣ କରି ଗଣତନ୍ତ୍ରର ହତ୍ୟା କରିଛି ବୋଲି ଶ୍ରୀ ପରିଡା କହିଛନ୍ତି।

ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ସହ ଶାସକ ଦଳର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ପ୍ରତିବାଦ କରିବାକୁ ରାଜ୍ୟ ସଭାପତି ସମୀର ମହାନ୍ତି ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି। ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପସଭାପତି ତଥା ବିଧାୟକ ନାଉରୀ ନାଏକ, ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତା ରଞ୍ଜନ ପଟେଲ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଆଗାମୀ ଦିନରେ ଜନବିରୋଧୀ, ଜନପ୍ରତିନିଧି ବିରୋଧୀ, ଅମଲାତନ୍ତ୍ର ନିର୍ଭରଶୀଳ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଜନଆନ୍ଦୋଳନ କରାଯିବ। ପଲ୍ଲୀସଭା, ଗ୍ରାମସଭା ଓ ପଞ୍ଚାୟତ ବ୍ୟବସ୍ଥାକୁ ଶକ୍ତିଶାଳୀ କରାଯିବ।

ସମ୍ବନ୍ଧିତ ଖବର