ଭୁବନେଶ୍ବର: ଆଜିଠାରୁ ବିଜେପି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଆସନ୍ତାକାଲି ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ ହେବ। ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମତଦାତା ସୂଚୀ ପ୍ରକାଶ ପାଇଛି। ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ହେବ। ଯଦି ସହମତି ଭିତ୍ତିରେ ଜଣେ ପ୍ରାର୍ଥୀ ନାମାଙ୍କନ ଭରନ୍ତି ତେବେ ଆସନ୍ତାକାଲି ହିଁ କିଏ ଆଗାମୀ ବିଜେପି ସଭାପତି ହେବେ ଜଣାପଡ଼ିଯିବ। ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରନ୍ତି ତେବେ ୮ ତାରିଖରେ ନିର୍ବାଚନ ହେବ।

Advertisment

ରାଜ୍ୟ ସଭାପତି ନିର୍ବାଚନ ନେଇ ଏବେ ବିଜେପିର ଦଳୀୟ ରାଜନୀତି ଉଷ୍ମ ହୋଇଛି। ବର୍ତ୍ତମାନର କାର୍ଯ୍ୟକାରୀ ସଭାପତି ମନମୋହନ ସାମଲ ପୁଣି ସଭାପତି ହେବେ ନା ଆଉ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ରାଜ୍ୟ ସଭାପତି ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ କୁହାଯାଇଛି। ସେ ଆଜି ବରଗଡ଼ରୁ ଭୁବନେଶ୍ବର ଆସୁଛନ୍ତି। ମନମୋହନଙ୍କ ସମର୍ଥନରେ ବିଜେପିର ଗୋଟିଏ ଗୋଷ୍ଠୀ ଥିବାବେଳେ ପ୍ରଦୀପଙ୍କ ସମର୍ଥନରେ ଆଉ ଏକ ଗୋଷ୍ଠୀ ଅଛନ୍ତି। କେହି କାହାକୁ ସହଜରେ ବାଟ ଛାଡ଼ିବା ମୁଡ୍‌ରେ ନ ଥିବାରୁ ଉଭୟ ମନମୋହନ ଓ ପ୍ରଦୀପ ନାମାଙ୍କନ ଦାଖଲ କରିପାରନ୍ତି। ଏହାବ୍ୟତୀତ ଆଉ ଜଣେ ସାଧାରଣ ସମ୍ପାଦକ ଏବଂ ଜଣେ ପୂର୍ବତନ ସାଧାରଣ ସମ୍ପାଦକ ମଧ୍ୟ ନାମାଙ୍କନପତ୍ର ଦାଖଲ କରିପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଏହି ଦୁଇ ଜଣ ଉପରୋକ୍ତ ଦୁଇ ଗୋଷ୍ଠୀର ଭୋଟ୍ ଭାଗ କରିବାକୁ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।

ବିଜେପି ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲି ହେବାକୁ ଥିବା ନିର୍ବାଚନ ପାଇଁ ଆଜି ସମସ୍ତ ଆପତ୍ତି ଓ ଅଭିଯୋଗ ଗ୍ରହଣ ପରେ ୨୭୩ଜଣ ମତଦାତାଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଏଥିରେ ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ, ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ୧୦% ପ୍ରତିନିଧି ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି। ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ୩୦ରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଚାଲିବ। ନାମାଙ୍କନ ସମ୍ପର୍କିତ ଆପତ୍ତି, ଅଭିଯୋଗର ଯାଞ୍ଚ କରାଯାଇ ଅପରାହ୍ନ ୪ଟା ୩୦ ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ ପାଇବ। ଏକାଧିକ ପ୍ରାର୍ଥୀ ନାମାଙ୍କନ ଭରିଥିଲେ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦିଆଯିବ। ଏହାପରେ ଯଦି ଏକାଧିକ ପ୍ରାର୍ଥୀ ରହିଲେ ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନୀ ଚିହ୍ନ ଆବଣ୍ଟନ କରାଯିବ। ୮ ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ। ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ। ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାରର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସଂପାଦନ ହେବ।