ଭୁବନେଶ୍ବର: ଜାନୁଆରି ୧୫ ସୁଦ୍ଧା ଓଡ଼ିଶା ବିଜେପିର ରାଜ୍ୟ ସଭାପତି ଚୟନ ହେବାର ଥିଲା। ହେଲେ ଆଜି ପର୍ଯ୍ୟନ୍ତ ସବୁ ଜିଲ୍ଲା ସଭାପତି ଘୋଷଣା ହୋଇପାରିଲାନି। ଏପରିକି ସବୁ ମଣ୍ଡଳ ସଭାପତି ବି ଘୋଷଣା ହୋଇନି। ଦଳୀୟ କନ୍ଦଳ ଜୋର୍ ଧରିଥିବାରୁ ରାଜ୍ୟ ସଭାପତି ଚୟନ ନେଇ ସହମତି ପ୍ରକାଶ ପାଉନି। ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପୁଣି ସଭାପତି କରିବାକୁ କେତେକ ସାଂସଦ ଓ ମନ୍ତ୍ରୀ ଲବି କରୁଥିବାବେଳେ ମନମୋହନଙ୍କ ବଦଳରେ ନୂଆ ଚେହେରା ଆଣିବାକୁ ଆଉ କେତେକ ସାଂସଦ, ମନ୍ତ୍ରୀ, ବିଧାୟକ, ଦଳର ସଙ୍ଗଠନ ଦାୟିତ୍ବରେ ଥିବା ନେତା ଲବି ଚଳାଇଛନ୍ତି। ଦଳ ଭିତରେ ସଭାପତି ଚୟନକୁ ନେଇ ବିବାଦ ଏତେ ବଢ଼ିଯାଇଛି ଯେ ଶେଷରେ ଆର୍ଏସ୍ଏସ୍ର ସରସଂଘଚାଳକ ମୋହନ ଭାଗବତଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଫୋନ୍ରେ ବିବାଦ ସମାଧାନ ନ ହେବାରୁ ମୋହନ ଭାଗବତ ଏବେ ୫ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।
ଓଡ଼ିଶାରେ ବିଜେପି ପ୍ରଥମଥର ପାଇଁ ସରକାର ଗଠନ କରିଥିବାରୁ ପାର୍ଟିର ଶୀର୍ଷ ନେତୃତ୍ବ ଓ ଆର୍ଏସ୍ଏସ୍ ଏହାର ସଦୁପଯୋଗ କରିବାକୁ ଚାହୁଛି। ବିଜେପି କିପରି ବହୁବର୍ଷ ଓଡ଼ିଶାରେ ଶାସନ କରିବ ସେନେଇ ରଣନୀତି ପ୍ରସ୍ତୁତ କରିବାକୁ କୁହାଯାଇଛି। କିନ୍ତୁ ସରକାର ଓ ସଂଗଠନ ମଧ୍ୟରେ ତାଳମେଳ ରହୁନି। ଦଳର ସଂଗଠନ ଏକପ୍ରକାରର ସ୍ଥାଣୁ ପାଲଟି ଯାଇଥିବାବେଳେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଠିକ୍ ଭାବେ ପ୍ରଚାରପ୍ରସାର କରୁନାହାନ୍ତି। ତେଣୁ ସଂଗଠନକୁ ସୁଦୃଢ କରିବାକୁ ଆର୍ଏସ୍ଏସ୍ ମୁଖ୍ୟ ସାଙ୍ଗଠନିକ ଅଦଳବଦଳ ନେଇ ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଆସୁଛନ୍ତି। ପୂର୍ବ ଭାରତରେ ଓଡ଼ିଶାରେ ହିଁ ଆର୍ଏସ୍ଏସ୍ ଓ ବିଜେପିର ସଙ୍ଗଠନକୁ ଅଧିକ ମଜଭୁତ୍ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ସରକାରୀ ଦଳର ରାଜ୍ୟ ସଭାପତି ବାଛିବାରେ ଦଳ କି ଆର୍ଏସ୍ଏସ୍ କୌଣସି ସାଲିସ୍ କରିବାକୁ ଚାହୁନି।
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୋହନ ଭାଗବତ ତାଙ୍କର ଏହି ୫ଦିନିଆ ଗସ୍ତରେ ଗୋଟିଏ ଦିନ କେବଳ ଏକ ଶ୍ରଦ୍ଧାଞ୍ଜଳି ସଭାେର ଯୋଗଦେବାକୁ ଥିବାବେଳେ ବାକି ୪ଦିନ ଦଳର ସାଙ୍ଗଠନିକ କାର୍ଯ୍ୟ ସମୀକ୍ଷା କରିବେ। ୨୦୨୭ରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ। ଏହା ପରେପରେ ୨୦୨୯ ସାଧାରଣ ନିର୍ବାଚନ ପାଇଁ ଆସନ ସଂରକ୍ଷଣ, ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହେବ। ତେଣୁ ଏମିତି ନେତାଙ୍କୁ ଦଳର ସଭାପତି କରାଯିବ ଯାହାର ଦୂରଦୃଷ୍ଟି ଥିବ ଏବଂ ଦଳର ସଂଗଠନ ଓ ସରକାରଙ୍କୁ ନେଇ କାମ କରିପାରୁଥିବ। ୨୦୨୯ରେ ବିଜେପି କ୍ଷମତାକୁ ଆସିବାକୁ ହେଲେ ଆସନ୍ତା ତିନି ବର୍ଷ ସଙ୍ଗଠନକୁ ସୁଦୃଢ଼ କରିବାର ଅଛି। ଏହାକୁ ନଜରରେ ରଖି ଆର୍ଏସ୍ଏସ୍ ଏବଂ ଦଳ ଭିତରେ ଯିଏ ଭଲ ସମନ୍ବୟ ରଖୁଥିବେ ସେହିଭଳି ଜଣେ ନେତାଙ୍କୁ ଦଳ ସଭାପତି କରିବ ବୋଲି ସ୍ଥିର ହୋଇଥିବା କୁହାଯାଉଛି। ଏପରିକି ରାଜ୍ୟ ବିଜେପି ସଭାପତି ଚୟନ ପାଇଁ ଯେଉଁ ୭ରୁ ୮ଜଣ ନେତାଙ୍କ ନାମ ଚର୍ଚ୍ଚା ହେଉଛି ସେମାନଙ୍କୁ ମୋହନ ଭାଗବତ ଡାକି ଆଲୋଚନା କରିବେ। ଯଦି ସେମାନେ ସଭାପତି ହୁଅନ୍ତି ତେବେ କିପରି ଦଳର ସଙ୍ଗଠନକୁ ଆଗକୁ ନେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି, ସରକାର ଓ ସଙ୍ଗଠନ ମଧ୍ୟରେ କିପରି ସମନ୍ବୟ ରଖିବେ, ଦଳର ସଦସ୍ୟତା କିପରି ବଢ଼ାଇବେ, ଦଳରେ ତାଙ୍କୁ ବିରୋଧ ହେଲେ କିପରି ମୁକାବିଲା କରିବେ, ଦଳରେ ଏବେ ଯେଉଁ ବିବାଦ ଚାଲିଛି ତା’ର କିପରି ସମାଧାନ ହେବ, ଦଳର ସାଙ୍ଗଠନିକ ଦକ୍ଷତା ବଢ଼ାଇବା ପାଇଁ କ’ଣ ଯୋଜନା କରିଛନ୍ତି ସେନେଇ ସେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
ଜାନୁଆରି ୩୧ ସୁଦ୍ଧା ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ହେଁ ଦିଲ୍ଲୀ ନିର୍ବାଚନ ପାଇଁ ଏହା ଆଉ ଦୁଇ ସପ୍ତାହ ଘୁଞ୍ଚିଯାଇଛି। ଫେବ୍ରୁଆରି ୧୫ ସୁଦ୍ଧା ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ନାମ ଘୋଷଣା ହେବ। ତେଣୁ ଓଡ଼ିଶା ବିଜେପିର ଦଳୀୟ କନ୍ଦଳକୁ ଶେଷ କରି ଫେବ୍ରୁଆରି ପ୍ରଥମ ସପ୍ତାହରେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଘୋଷଣା କରିବାକୁ ନିଷ୍ପତ୍ତି ହୋଇଛି। ଦଳର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ଏବେ ୩୭ଟି ସାଙ୍ଗଠନିକ ଜିଲ୍ଲାରୁ ୨୩ଟିରେ ଜିଲ୍ଲା ସଭାପତି ଘୋଷଣା କରାଯାଇଛି। ତେଣୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଓଡ଼ିଶା ବିଜେପି ପାଇଁ ନିଯୁକ୍ତି ପାଇଥିବା ନିର୍ବାଚନ ଅଧିକାରୀ ତଥା ସାଂସଦ ସଂଜୟ ଜୟସ୍ବାଲଙ୍କୁ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟ ଭିତରେ ଆଉ କିଛି ଜିଲ୍ଲା ସଭାପତି, ମଣ୍ଡଳ ସଭାପତିଙ୍କ ନାମ ଘୋଷଣା କରିବାକୁ ଯୋଜନା ଚାଲିଛି।