ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ପ୍ରବକ୍ତା

ରାଉରକେଲା: ଚଳିତ ବିଶ୍ବକପ୍‌ ହକିରେ ବ୍ୟାପକ ଅନିୟମିତତା ହୋଇଛି। ପାନପୋଷ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଫମ୍ପା ପ୍ରତିଶ୍ରୁତି କେବଳ ଶିଳାନ୍ୟାସରେ ସୀମିତ ରହିଛି। ବିଶ୍ବକପ୍‌ ହକି ଟିକେଟ୍‌ ବଣ୍ଟନ ଦଳୀୟ ଭିତ୍ତି‌ରେ କରାଯିବା ଓ ଟିକେଟ୍‌ର ବ୍ୟାପକ କଳାବଜାର କରିବା ଆଦି ନିନ୍ଦନୀୟ। ଏହି ଘଟଣାର ସିବିଆଇ ତଦନ୍ତ ହେବା ଦରକାର ବୋଲି ବିଜେପି ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା କହିଛନ୍ତି। ଆଜି ସେକ୍ଟର-୩ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଅପାରଗତା ଓ ଭ୍ରଷ୍ଟାଚାର ବିରୋଧରେ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଅନୁଯାୟୀ ଦ୍ବିତୀୟ ବ୍ରାହ୍ମଣୀ ସେତୁ, ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମିତ ହୋଇ କାର୍ଯ୍ୟକ୍ଷମ ହୋଇସାରିଛି। ଉଡାନ ଯୋଜନାରେ ରାଉରକେଲାକୁ ଅନ୍ତର୍ଭୁକ୍ତ କରି  ରାଉରକେଲାରୁ ଭୁବନେଶ୍ବରକୁ ବିମାନ ସେବା ଆରମ୍ଭ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି, ବିଶ୍ବକପ୍‌କୁ ୨୦୦୦ କୋଟି ବ୍ୟୟରେ ଆୟୋଜନ କରିବାରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ଭାବେ ବାରିହେଉଛି।

ତେଣୁ ବିଶ୍ବକପ୍‌ ନାଁରେ ହୋଇଥିବା ପ୍ରତ୍ୟେକ ଖର୍ଚ୍ଚର ଉଚ୍ଚସ୍ତରୀୟ ଅଡିଟ୍‌ ଓ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଟ୍ରଷ୍ଟ ବ‌ୈଠକ ବର୍ଷକରେ ସର୍ବନିମ୍ନ ୨ଥର ହେବାର ନିୟମ ରହିଛି। ତାହା କରାଯାଉ ନାହିଁ। ବିନା ଟେଣ୍ଡରରେ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି। ଏଥିସହ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ଦେବା, କେନ୍ଦ୍ରୀୟ ସହାୟତାରେ ଚାଲିଥିବା ମିସନ ଶକ୍ତି ଯୋଜନା ଓ ସ୍ବୟଂ ସହାୟକ ଗୋଷ୍ଠୀର ସଂରଚନାରେ ମହିଳାମାନଙ୍କ ରୋଜଗାର ବୃଦ୍ଧି ଓ ସଶକ୍ତିକରଣ ବଦଳରେ ଦଳୀୟ କାର୍ଯ୍ୟରେ ନିଯୁକ୍ତି କରିବା। ନିକଟରେ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାରେ ଯୋଗ୍ୟ ବ୍ୟକ୍ତିଙ୍କର ନାମ ସଂଯୁକ୍ତ କରାନଗଲେ ଜିଲ୍ଲାର ସମସ୍ତ ବ୍ଲକ ଘରାଉ କରାଯିବ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ମୁଖପାତ୍ର ଧୀରେନ ସେନାପତି, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ଜଗବନ୍ଧୁ ବେହେରା, ପ୍ରମିଳା ଦାସ ଓ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର