ଦୁଷ୍କର୍ମ ଘଟଣାରେ ବିଜେପି ରାଜନୀତି ବନ୍ଦ କରୁ: ବିଜେଡି

ଭୁବନେଶ୍ବର : ଦୁଷ୍କର୍ମ ଭଳି ଦୁଃଖଦ ଘଟଣାରେ ବିଜେପି ନେତାମାନେ ରାଜନୀତି ବନ୍ଦ କରନ୍ତୁ। ଏଭଳି ଘଟଣାରେ ରାଜନୀତି ନ କରି କିଭଳି ଏହାର ମୂଳୋତ୍ପାଟନ ହେବ ସେଥିପାଇଁ ସମସ୍ତେ ଏକାଠି ହେବା ଉଚିତ୍ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ ଶ୍ରୀ ପାତ୍ର କହିଛନ୍ତି ଯେ, ଏହି ଘଟଣାରେ ସମସ୍ତେ ଦୁଃଖିତ ଓ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ପୀଡ଼ିତା ଓ ତାଙ୍କ ପରିବାର ଲୋକ ଗଭୀର ମାନସିକ ଚାପରେ ରହିଥିବା ବେଳେ ରାଜନୀତି କରାଗଲେ ସେମାନଙ୍କ ସ୍ଥିତି ଆହୁରି ଖରାପ ହେବ। ବାରମ୍ବାର ଅନୁରୋଧ ସତ୍ତ୍ବେ ବିଜେପି ଏହି ଘଟଣାକୁ ରାଜନୈତିକ ରଂଗ ଦେବା ସହିତ ଅବାସ୍ତବ ତଥ୍ୟ ଉପସ୍ଥାପନ କରି ଅତି ନିମ୍ନମାନର ରାଜନୀତି କରୁଛି। ବିଜେପି ନେତାମାନେ ମନୋଭାବରେ ପରିବର୍ତନ ନ କଲେ ଆଗାମୀ ଦିନରେ ଜନସାଧାରଣ ଅତୀତ ଭଳି ପରାଜୟର ବାଟ ଦେଖାଇବେ। ତେଣୁ ବିଜେପି ନେତାମାନେ ଏଭଳି ରାଜନୀତିରୁ ବିରତ ରୁହନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।

କାଳିଆ ଯୋଜନା ସଂପର୍କରେ ମତ ରଖି ଶ୍ରୀ ପାତ୍ର କହିଥିଲେ ଯେ, ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ‘କାଳିଆ’ ଯୋଜନା ଏକ ବୈପ୍ଲବିକ ପଦକ୍ଷେପ। ଏହାଦ୍ବାରା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି। ନିତି ଆୟୋଗ ମଧ୍ୟ ଏହାକୁ ପ୍ରଶଂସା କରିଛନ୍ତି। ଏହି ଯୋଜନାକୁ ସମାଲୋଚନା କରି ବିଜେପି ନିଜର ଚାଷୀ ବିରୋଧୀ ମନୋଭାବକୁ ପ୍ରଦର୍ଶନ କରୁଛି। ସେହିପରି ଗୃହନିର୍ମାଣ ସଂପର୍କିତ ସମାଲୋଚନା ଉପରେ ମତ ଦେଇ ସେ କହିଥିଲେ ଯେ, ରାଜ୍ୟ ସରକାର ଇତିମଧ୍ୟରେ ୨୦ଲକ୍ଷ ପକ୍କାଘର ନିର୍ମାଣ କରିସାରିଛନ୍ତି। ବିଜେପି ନେତାମାନେ ଏଥିରେ ଈର୍ଷାନ୍ବିତ ହୋଇ ସମାଲୋଚନା କରୁଛନ୍ତି। ଏହା ସେମାନଙ୍କର ହତାଶାଭାବକୁ ଦର୍ଶାଉଛି ବୋଲି ଶ୍ରୀ ପାତ୍ର କହିଥିଲେ।

ସମ୍ବନ୍ଧିତ ଖବର