ଟିକାକରଣକୁ ନେଇ ମିଛ କହିବା ବନ୍ଦ କରୁ ବିଜେପି: କଂଗ୍ରେସ

୪ ମାସ ଭିତରେ ମାତ୍ର ୩ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି

ଭୁବନେଶ୍ବର : ଦେଶରେ ଟିକାକରଣକୁ ନେଇ ରାଜ୍ୟ ବିଜେପି ନେତାମାନେ ମିଛି କହିବା ବନ୍ଦ କରନ୍ତୁ। ଭାରତର ଟିକାକରଣ ସାରା ବିଶ୍ବରେ ସର୍ବବୃହତ ଏକ ନମ୍ବର ବୋଲି ବିଜେପି ଛାତି ବାଡ଼େଇ ପ୍ରଚାର କରୁଛି। ବାସ୍ତବତା ହେଲା ଗତ ଜାନୁଆରି ୧୬ ତାରିଖରୁ ଏବେସୁଦ୍ଧା ୪ ମାସ ମଧ୍ୟରେ ମାତ୍ର ୩ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇପାରିଛି। ଆଜି ଏକ ପ୍ରେସ ବିବୃତି ଜାରି କରି କେନ୍ଦ୍ର ସରକାର ଓ ବିଜେପି ଦଳକୁ ଏପରି ସମାଲୋଚନା କରିଛନ୍ତି ପ୍ରଦେଶ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ।

ଶ୍ରୀ ନାୟକ ଦର୍ଶାଇଛନ୍ତି, ଭାରତରେ ମୋଟ ୧୭ କୋଟି ୮୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ୨୦୨୧-୨୨ ଆର୍ଥକ ବର୍ଷ ବଜେଟ୍‌ରେ କେନ୍ଦ୍ର ସରକାର କୋଭିଡ ଟିକାକରଣ ବାବଦରେ ୩୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏପର୍ଯ୍ୟନ୍ତ ମାତ୍ର ଖର୍ଚ୍ଚ ହୋଇଛି ୪ ହଜାର ୭୦୦ କୋଟି ଟଙ୍କା। ବିହାର, ପଶ୍ଚିମବଙ୍ଗ ନିର୍ବାଚନ ବେଳେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଭାରତରେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ। କିନ୍ତୁ ଏବେ କାହିଁକି ରାଜ୍ୟ ମାନଙ୍କ ଉପରକୁ ଟିକା ଖର୍ଚ୍ଚ ଦାୟିତ୍ବ ଠେଲି ଦେଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ଯଦି ରାଜ୍ୟମାନେ ନିଜସ୍ବ ସମ୍ବଳରୁ ଟିକା କିଣିବେ ତାହେଲେ ସେମାନଙ୍କ ସ୍ବାସ୍ଥ୍ୟ ବଜେଟ୍‌ର ୩୦ ପ୍ରତିଶତ କେବଳ ଟିକାରେ ଖର୍ଚ୍ଚ ହୋଇଯିବ। ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାର ସ୍ବାସ୍ଥ୍ୟ ବଜେଟ୍‌ ହେଉଛି ୯ ହଜାର ୩୪୦ କୋଟି। ଅର୍ଥାତ୍‌ ପ୍ରାୟ ୨୭୦୦ କୋଟି ରାଜ୍ୟ ସରକାର କେବଳ ଟିକା କିଣାରେ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଫଳରେ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା ପାଇଁ ଅର୍ଥାଭାବ ଦେଖାଦେବ। ଏହାର ଜବାବ ବିଜେପି ନେତାମାନେ ଦେବା ଦରକାର ବୋଲି ଶ୍ରୀ ନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର