ଖୋର୍ଦ୍ଧା: ଭୋଟ୍ ଦିନ ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ଜେଲ୍ ପଠାଇବା ପରେ ଖୋର୍ଦ୍ଧା ରାଜନୀତି ସରଗରମ ହୋଇଛି। ଏ ଘଟଣାକୁ ନେଇ ଗତକାଲି ବିଜେପି ପକ୍ଷରୁ ପ୍ରତିବାଦର ଆହ୍ବାନ ଦିଆଯାଇଥିଲା। ତଦନୁସାରେ, ଆଜି ଖୋର୍ଦ୍ଧା ଏବଂ ଟାଙ୍ଗୀ ବ୍ଲକ୍ର ହଜାର ହଜାର ସଂଖ୍ୟାରେ ବିଜେପି ସମର୍ଥକ ଖୋର୍ଦ୍ଧା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସିଧାସଳଖ ଖୋର୍ଦ୍ଧା ଏସ୍ଡିପିଓ ଦିଲୀପ ଦାସଙ୍କୁ କର୍ମୀମାନେ ଟାର୍ଗେଟ୍ କରିବା ସହିତ ରାଜନୈତିକ ଏଜେଣ୍ଟ୍ ସାଜିଥିବା ଏଭଳି ପୁଲିସ ଅଫିସରଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରିବା ପାଇଁ ଦାବି କରିଛନ୍ତି। କେବଳ ସେତିକି ନୁହେଁ, ପ୍ରଶାନ୍ତଙ୍କୁ ତୁରନ୍ତ ନିଃସର୍ତ୍ତ ଖଲାସ ନ କଲେ, ଆଗକୁ ଜିଲ୍ଲାର ଦୁଇଟିଯାକ ଜାତୀୟ ରାଜପଥକୁ ପ୍ରଥମେ ଅବରୋଧ କରାଯିବ। ତା’ ପରେ ପୂରା ଖୋର୍ଦ୍ଧା ଜିଲ୍ଲାକୁ ବନ୍ଦ କରାଯିବ ବୋଲି ବିଜେପି ନେତା ଜିଲ୍ଲା ପ୍ରଶାସନକୁ ଚେତାଇ ଦେଇଛନ୍ତି।
ଭୁବନେଶ୍ବର ଲୋକସଭା ପ୍ରଭାରୀ ଜୀବନ ସାହୁ, ବିଜେପି ନେତ୍ରୀ ବାସନ୍ତୀ ମହାପାତ୍ର, ବେଗୁନିଆର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି, ନିକୁଞ୍ଜ ପଟ୍ଟନାୟକଙ୍କ ନେତୃତ୍ବରେ ପୂର୍ବାହ୍ନ ୧୧ଟାରେ ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଠୁଳ ହୋଇଥିଲେ। ବିଜେପି ନେତ୍ରୀ ଶ୍ରୀମତୀ ମହାପାତ୍ର ଅଭିଯୋଗ କରିଥିଲେ, ନିର୍ବାଚନର କେଇଟା ଦିନ ପୂର୍ବରୁ ପ୍ରଶାନ୍ତ ଖୋର୍ଦ୍ଧା ଏସ୍ଡିପିଓ ଶ୍ରୀ ଦାସଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଗଣମାଧ୍ୟମ ଆଗରେ କହିଥିଲେ, ପୁଲିସ ହିସାବରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ କରିବା ପରିବର୍ତ୍ତେ ଶାସକ ଦଳର ଏଜେଣ୍ଟ୍ ସାଜି ଟଙ୍କା ବାଣ୍ଟୁଥିଲେ। ଏମିତିକି, ବିଜେପି କର୍ମୀଙ୍କୁ ସେ ଭଏସ୍ କଲରେ ଧମକାଉଥିଲେ। ବିଜେପିକୁ ସହଯୋଗ କଲେ ନାଁରେ ମାମଲା ଠୁଙ୍କି ଦେବାକୁ ଡରାଉଥିଲେ ବୋଲି ପ୍ରଶାନ୍ତ ଗଣମାଧ୍ୟମରେ ଅଭିଯୋଗ କରିବା ସହିତ ଏଥିରୁ ବିରତ ରହିବାକୁ ଚେତାବନୀ ଦେଇଥିଲେ। ଏହି ଚେତାବନୀର ଫଳ ସ୍ବରୂପ, ଭୋଟ୍ ଦିନ ଏସ୍ଡିପିଓ ଏଭଳି ଏକ କାଣ୍ଡ ଭିଆଇଛନ୍ତି। ଯଦି, ପ୍ରଶାନ୍ତ ଇଭିଏମ୍ ଭାଙ୍ଗିଛନ୍ତି, ତା’ର ସିସିଟିଭି ଫୁଟେଜ୍କୁ ସାର୍ବଜନୀନ କରାନ୍ତୁ। ଇଭିଏମ୍ ଭାଙ୍ଗିବା କଥା ପ୍ରମାଣ ହୋଇଗଲେ, ପ୍ରଶାନ୍ତ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି ସେ କହିଥିଲେ। ଆଜିର ଆନ୍ଦୋଳନକୁ ଆଖିରେ ରଖି ସହରରେ ପୁଲିସ ଛାଉଣୀ କରାଯାଇଥିଲା। କେବଳ ଥାନା ପରିସରରେ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ସହରର ଅନ୍ୟ ସ୍ଥାନରେ ବି ପୁଲିସ ଜଗାଯାଇଥିଲା। ଘଟଣାସ୍ଥଳରେ ଏସ୍ଡିପିଓ ଶ୍ରୀ ଦାସଙ୍କର ଆଦୌ ଦେଖା ନଥିଲା।