ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ବିଧାୟକ ଦଳ ବୈଠକ : ବିଜୁଳି ଦରବୃଦ୍ଧି, ଦୁର୍ନୀତି, କୋଭିଡ୍‌ ଅବ୍ୟବସ୍ଥାକୁ ପ୍ରସଙ୍ଗ କରିବ ବିଜେପି

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ। ଏଥି ପାଇଁ ବିଜେପି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି। ଆଜି ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ବିଧାୟକ ଦଳ ବୈଠକ ବସି ସରକାରଙ୍କୁ ଘେରିବା ପାଇଁ ବିଭିନ୍ନ ପ୍ରସଙ୍ଗ ସ୍ଥିର ହୋଇଛି। ଗୃହରେ ବିଜୁଳି ଦର ବୃଦ୍ଧି, କୋଭିଡ୍‌ ପରିଚାଳନାରେ ଅନିୟମିତତା ଓ ବିଭିନ୍ନ ବିଭାଗରେ ବ୍ୟାପକ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ବିଜେପି ଯୋଜନା କରିଛି। ନିକଟରେ ହୋଇଥିବା ବନ୍ୟାକୁ ମନୁଷ୍ୟକୃତ ବୋଲି ଦଳ ଅଭିଯୋଗ କରିବା ସହ ଏହି ପ୍ରସଙ୍ଗକୁ ମଧ୍ୟ ବିଧାନସଭାରେ ଉଠାଇବ। ବଗଲା ଧର୍ମଶାଳା ଦୁର୍ନୀତି, ପ୍ରବାସୀ ଓଡ଼ିଆ ଶ୍ରମିକ ସମସ୍ୟା, ନୂଆ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ, ସାର ଦୁର୍ନୀତି, ଓମ୍‌ବାଡ୍‌ସି/କାମ୍ପା ପାଣ୍ଠିରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ ମଧ୍ୟ ଗୃହରେ ଉଠିବ।

ଏହା ବାଦ୍ ଆୟୁଷ୍ମାନ୍ ଭାରତ ଯୋଜନାରେ ଓଡ଼ିଶାକୁ ସାମିଲ କରିବାକୁ ରାଜ୍ୟ ସରକାର କାହିଁକି ଆଗ୍ରହ ନେଉ ନାହାନ୍ତି ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ହିତାଧିକାରୀ ସଂଖ୍ୟା କାହିଁକି ହ୍ରାସ ପାଉଛି, ତାହା ଜବାବ ବିଜେପି ମାଗିବ ବୋଲି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଧାୟକ ଦଳ ନେତା ପ୍ରଦୀପ୍ତ ନାଏକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ବରିଷ୍ଠ ନେତା କେ ଭି ସିଂହଦେଓ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସମେତ ସମସ୍ତ ବିଧାୟକ, ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ ଓ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର