ଭୁବନେଶ୍ୱର : ୧୨ ଘଣ୍ଟିଆ ହରତାଳକୁ ଓଡ଼ିଶାବାସୀ ସ୍ୱତଃସ୍ଫୂର୍ତ୍ତ ସମର୍ଥନ ଦେଇଛନ୍ତି ବୋଲି ଦାବି କରିଛି ବିଜେପି। ଏହି ହରତାଳକୁ ସମର୍ଥନ ଦେଇ ନବୀନ ସରକାରଙ୍କ ବିରୋଧରେ ଲୋକମାନେ ନିଜ କ୍ରୋଧକୁ ପରିପ୍ରକାଶ କରିଛନ୍ତି ବୋଲି ଦଳ କହିଛି। କୁନ୍ଦୁଲି ଘଟଣାର ପ୍ରତିବାଦ ସ୍ୱରୂପ ଆସନ୍ତାକାଲି ଠାରୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ସରକାରଙ୍କ କୋକେଇ ଶୋଭାଯାତ୍ରା ବାହାର କରାଯିବ ବୋଲି ସୂଚନା ଦିଆଯାଇଛି।
ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ସାଢ଼େ ଚାରି କୋଟି ଓଡ଼ିଆ ଲୋକଙ୍କ ଖୋଲା ହୃଦୟର ସମର୍ଥନ ଯୋଗୁଁ ହରତାଳ ସଫଳ ହୋଇଛି। ରାଜ୍ୟ ସରକାର ସ୍କୁଲ୍, କଲେଜ ବନ୍ଦ କରି ସରକାରୀ ଅନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ଜୋର୍ ଜବରଦସ୍ତ ଉଦ୍ୟମକୁ ସରକାରୀ କର୍ମଚାରୀମାନେ ପ୍ରତ୍ୟାଖ୍ୟାନ କରି ଉପସ୍ଥାନକୁ ନଗଣ୍ୟ କରିଛନ୍ତି। ଦୋକାନବଜାର, ବେସରକାରୀ ଅନୁଷ୍ଠାନ ତଥା ରାଜରାସ୍ତାରେ ଗାଡ଼ିମୋଟର୍ ଠପ୍ ହୋଇଯାଇ ଓଡ଼ିଆଙ୍କ ମନର ଦୁଃଖକୁ ସମ୍ପୂର୍ଣ୍ଣ ଭାବେ ପରିପ୍ରକାଶ କରିଛି। ଓଡ଼ିଶାରେ ମା’କୁ ସମ୍ମାନ, ନବୀନଙ୍କ ସ୍ଲୋଗାନ୍ ଏକ ଅନ୍ତଃସାରଶୂନ୍ୟ ବକ୍ତବ୍ୟରେ ପରିଣତ ହୋଇଛି। ଆସନ୍ତାକାଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କୁନ୍ଦୁଲି ଗସ୍ତ କରି ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରିବେ। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସା ବେଲଗାମ ହେଲାଣି। ଲଗାତର ଭାବେ ମହିଳାଙ୍କ ଇଜ୍ଜତ ସହ ଖେଳ ଚାଲିଛି। ଶାସକ ଦଳର ମନ୍ତ୍ରୀ, ନେତାଙ୍କ ପୃଷ୍ଠପୋଷକତାରେ ଏସବୁ ଚାଲିଥିବାର ଅଭିଯୋଗ ହେଉଛି। ନବୀନ ସରକାରଙ୍କ କୋକେଇ ଶୋଭାଯାତ୍ରା ମାଧ୍ୟମରେ ମହିଳା ମୋର୍ଚ୍ଚା ରାଜ୍ୟର ସବୁ ଜିଳ୍ଲା ପରିଷଦ କେନ୍ଦ୍ର ଓ ସହରାଞ୍ଚଳରେ ଅଭିନବ ପ୍ରତିବାଦ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/bjp-st.jpg)