ବିଜେଡି ସୁପ୍ରିମୋଙ୍କ ସମବାୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ବର: ଆସନ୍ତା ମାସରେ ସମବାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏ ସଂକ୍ରାନ୍ତରେ ସୋମବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ସମବାୟ ନିର୍ବାଚନ କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୧୯ ଏବଂ ୨୬ ଜୁନରେ ୬ ହଜାରରୁ ଅଧିକ ପ୍ରାଥମିକ ସମିତି ପାଇଁ ନିର୍ବାଚନ ହେବ। ଏହି ପ୍ରକ୍ରିୟା ସମାପ୍ତ ହେବା ପରେ କେନ୍ଦ୍ରୀୟ ଏବଂ ଶୀର୍ଷ ସମବାୟ ସମିତି ପାଇଁ ନିର୍ବାଚନ ହେବ ।

ପ୍ରାଥମିକ ସ୍ତରରେ ନିର୍ବାଚନ ଉପରେ ନଜର ରଖିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ଗଠିତ ହୋଇଥିବାରୁ ସେ ଖୁସିଥିବା କହିଛନ୍ତି। ସଠିକ ତଦାରଖ ଏବଂ ମନିଟରିଂ ପାଇଁ କେନ୍ଦ୍ରୀୟ, ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଜୋନ୍ ପାଇଁ ୪ଟି ଜୋନାଲ କମିଟି ଗଠନ କରାଯାଇଛି ଏବଂ ସମ୍ପୃକ୍ତ ଜୋନରେ ଜିଲ୍ଲା କମିଟି ଏବଂ ପର୍ଯ୍ୟବେକ୍ଷକଙ୍କ ସହ ସମନ୍ୱୟ ରକ୍ଷା କରାଯାଉଛି । ଅନୁରୂପ ଭାବେ ସମଗ୍ର ନିର୍ବାଚନ ପ୍ରକ୍ରିୟାର ସାମଗ୍ରିକ ତଦାରଖ ଏବଂ ମନିଟରିଂ ପାଇଁ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯାଇଛି ଯାହା ସୁଚାରୁ ରୂପେ ନିର୍ବାଚନର କାର୍ଯ୍ୟ ତୁଲାଇବା ପାଇଁ ଜିଲ୍ଲାମାନଙ୍କ ସହ ସମନ୍ୱୟ ରକ୍ଷା କରିବ । ଆମର ଦଳୀୟ ଦୃଷ୍ଟିକୋଣରୁ ଏହି ନିର୍ବାଚନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ଗମ୍ଭୀରତାର ସହ ଲଢିବାକୁ ପଡିବ ବୋଲି  ସେ କହିଛନ୍ତି।

ସମ୍ବନ୍ଧିତ ଖବର