ଝାରସୁଗୁଡ଼ା ଜିଲ୍ଲାରେ ପୋଛିନେଲା ବିଜେପି: ଝାରସୁଗୁଡ଼ାରେ ଦୀପାଳିଙ୍କୁ ହରାଇଲେ ଟଙ୍କଧର

ବ୍ରଜରାଜନଗରରେ ସୁରେଶଙ୍କ ଏକତରଫା ବାଜିମାତ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଉଭୟ ବିଧାନସଭା ଆସନକୁ ଏଥର କବ୍‌ଜା କରିଛି ବିଜେପି। ଝାରସୁଗୁଡ଼ା ଆସନରେ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଥିବା ବେଳେ ବ୍ରଜରାଜନଗରରେ ସୁରେଶ ପୂଜାରୀ ବିଜୟଲାଭ କରିଛନ୍ତି। ଝାରସୁଗୁଡ଼ାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧,୩୩୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ପରାଜିତ କରିଛନ୍ତି। ଏହାସହିତ ଝାରସୁଗୁଡ଼ା ବିଧାନସଭା ଆସନରେ ପ୍ରଥମ ବିଜେପି ବିଧାୟକ ହେବାର ରେକର୍ଡ ମଧ୍ୟ କରିଛନ୍ତି ଶ୍ରୀ ତ୍ରିପାଠୀ। ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଥିଲା। ତେବେ, ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୮୯,୭୭୨ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ତ୍ରିପାଠୀ ୯୧,୦୦୫ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଅମିତା ବିଶ୍ବାଳ ୫୭୭୫ ଖଣ୍ଡ ଭୋଟ୍‌ ପାଇଥିଲେ।

ଏହି ନିର୍ବାଚନମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବିତା କରିଥିବା ସ୍ବାଧୀନ ପ୍ରାର୍ଥୀ କାର୍ତ୍ତିକେଶ୍ବର ଘୁଘର ୭୨୧ ଖଣ୍ଡ, ଜ୍ଞାନେନ୍ଦ୍ର ବେହେରା ୬୩୦ ଖଣ୍ଡ, ସଞ୍ଜିତା କିଷାନ ୫୯୧ ଖଣ୍ଡ, କଳାକାର ନାଏକ ୫୬୬ ଖଣ୍ଡ, ସାଧନା ପାଣ୍ଡେ ୫୬୩ ଖଣ୍ଡ ଓ ନୋଟାକୁ ୧୨୯୭ ଖଣ୍ଡ ଭୋଟ୍‌ ମିଳିଥିଲା। ସେହିପରି, ବ୍ରଜରାଜନଗର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ୨୬,୭୮୯ ଖଣ୍ଡ ଭୋଟ୍‌ରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ପରାଜିତ କରିବା ସହିତ ବିଜୟୀ ଘୋଷିତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଶ୍ରୀ ପୂଜାରୀ ପ୍ରଥମ ରାଉଣ୍ଡରୁ ହିଁ ଆଗୁଆ ରହିଥିଲେ। ଶେଷ ୧୯ ନମ୍ବର ରାଉଣ୍ଡ ପରେ ଶ୍ରୀ ପୂଜାରୀ ୮୨ ହଜାର ୧୯୯ ଖଣ୍ଡ ଭୋଟ୍‌ ପାଇବା ସହିତ ବିଜୟୀ ଘୋଷିତ ହୋଇଥିଲେ। ବିଜେଡିର ଅଳକା ମହାନ୍ତି ୫୫,୪୧୦ ଖଣ୍ଡ, କଂଗ୍ରେସର କିଶୋର ପଟେଲ ୨୧,୮୦୯ ଖଣ୍ଡ, ଆପ୍‌ ପ୍ରାର୍ଥୀ କୁମୁଦ ରଞ୍ଜନ ପ୍ରସାଦ ୧୧୦୮ ଖଣ୍ଡ, ବିଏସ୍‌ପି ପ୍ରାର୍ଥୀ ସୁଜାତା ସୁନା ୧୩୭୮ ଖଣ୍ଡ, ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ ୩୪୧୮ ଖଣ୍ଡ, ସ୍ବାଧୀନ ପ୍ରାର୍ଥୀ ଅବ୍ୟୟଭାରତୀ ଶେଖାୱତ ରାଜପୁତ ଜୈନ ୪୫୩ ଖଣ୍ଡ, ସୁପ୍ରିତ ବେହେରା ୫୭୩ ଖଣ୍ଡ, ହେମନ୍ତ ରଣା ୫୩୬ ଖଣ୍ଡ ଓ ନୋଟାକୁ ୧୩୮୪ ଖଣ୍ଡ ଭୋଟ୍‌ ମିଳିଥିଲା। ଉଲ୍ଲେଖଯୋଗ୍ୟ, ଜିଲ୍ଲାର ଉଭୟ ନିର୍ବାଚନମଣ୍ଡଳୀରେ ଗତ ୨ ବର୍ଷରେ ହୋଇଥିବା ୨ଟି ଉପନିର୍ବାଚନରେ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିବା ଅଳକା ଓ ଦୀପାଳିଙ୍କୁ ଏଥର ପରାଜୟବରଣ କରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର