ବିଜେପିକୁ ୨୦୨୪ ଚିନ୍ତା‌: ୧୦ ଆକାଂକ୍ଷା ଜିଲ୍ଲା ଗସ୍ତ କରିବେ ୧୦ କେନ୍ଦ୍ରମନ୍ତ୍ରୀ

୯ ଦିନରେ ଓଡ଼ିଶା ଆସିବେ ୧୧ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କୁ ପ୍ରଶଂସା ନା ନିନ୍ଦା ମିଳିବ!

ଭୁବନେଶ୍ବର: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଯେପରି ଭଲ ପ୍ରଦର୍ଶନ କରିବ ସେନେଇ ଏବେଠୁ ରଣନୀତି ପ୍ରସ୍ତୁତ କରିଛି। କେନ୍ଦ୍ରମନ୍ତ୍ରୀମାନଙ୍କୁ ଦେଶର ସମସ୍ତ ଆକାଂକ୍ଷା ଜିଲ୍ଲା ଗସ୍ତ କରି କେନ୍ଦ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା କରିବାକୁ କୁହାଯାଇଛି। ଏହି କ୍ରମରେ ଓଡ଼ିଶାର ୧୦ଟି ଆକାଂକ୍ଷା ଜିଲ୍ଲାକୁ ୧୦ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ପଠାଯାଇଛି। ବିଜେପିର ଏହି ରଣନୀତି ଓଡ଼ିଶାରୁ ଆରମ୍ଭ ହେଉଥିବାରୁ ଦଳ ଓଡ଼ିଶା ପାଇଁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ନେଇ ଚର୍ଚ୍ଚା ହେଉଛି। ବିଜେପିର ଜଣେ ବରି‌ଷ୍ଠ ନେତାଙ୍କ କହିବାନୁଯାୟୀ, କେନ୍ଦ୍ରୀୟ ନେତାମାନେ ଦେଶର ସମସ୍ତ ୧୧୭ଟି ଆକାଂକ୍ଷା ‌ଜିଲ୍ଲାକୁ ଯାଇ ସେଠାରେ ରାତ୍ରିଯାପନ କରିବା ସହ ସମସ୍ତ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବେ। କେଉଁ ରାଜ୍ୟ ‌େକତେ ସଫଳତାର ସହ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି ସେନେଇ ରିପୋର୍ଟ ଦେବେ। ଏହାସହ ସ୍ଥାନୀୟ ବିଜେପି ନେତାମାନଙ୍କ ସହ ଆଲୋଚନା କରିବେ। ଏହି ରିପୋର୍ଟକୁ ଭିତ୍ତି କରି ଉକ୍ତ ଜିଲ୍ଲା ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହେବ। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ଦଳର ସ୍ଥିତି ମଜଭୁତ୍‌ କରିବାକୁ କୁହାଯାଇଛି। ଏହି କ୍ରମରେ ଓଡ଼ିଶାକୁ ଏବେ କେନ୍ଦ୍ରମନ୍ତ୍ରୀଙ୍କ ସୁଅ ଛୁଟିବ କେନ୍ଦ୍ରମନ୍ତ୍ରୀମାନେ ଘନଘନ ଓଡ଼ିଶା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବାକୁ ଥିଲେ ହେଁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ସେମାନଙ୍କୁ ସହଯୋଗ କରିବେ ତ ବୋଲି ପ୍ରଶ୍ନ ଉଠିଲାଣି।

ଅପରପକ୍ଷେ ପୂର୍ବରୁ ବହୁ ମନ୍ତ୍ରୀ, ନୀତି ଆୟୋଗ ସଦସ୍ୟମାନେ ଓଡ଼ିଶା ଗସ୍ତରେ ଆସିଥିବାବେଳେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। କେନ୍ଦ୍ରର ବିଭିନ୍ନ ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶାକୁ ଅଧିକ ସମ୍ମାନ ମିଳିଛି। ତେଣୁ ଆକଂାକ୍ଷା ଜିଲ୍ଲା ସମୀକ୍ଷାରେ ଓଡ଼ିଶାକୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଶ୍ରେୟ ମିଳିବନି ତ! କେନ୍ଦ୍ରୀୟ ନେତା ଯଦି ରାଜ୍ୟ ସରକାରଙ୍କୁ ପ୍ରଶଂସା କରୁଛନ୍ତି ତେବେ ଏହାର କି ପ୍ରଭାବ ବିଜେପି କର୍ମୀଙ୍କ ଉପରେ ପଡ଼ୁଛି ତାହା ସମୟ କହିବ। ଆଜି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏପ୍ରିଲ ୭ରୁ ୨୦ତାରିଖ ପର୍ଯ୍ୟନ୍ତ ବିଜେପି କାର୍ଯ୍ୟକର୍ତ୍ତାମାନେ ଦେଶବ୍ୟାପୀ ‘ସାମାଜିକ ନ୍ୟାୟିକ ପକ୍ଷ’ ପାଳନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାକୁ ସାଧାରଣ ଲୋକଙ୍କୁ ଅବଗତ କରାଇବା ସହ ସଚେତନତା ସୃଷ୍ଟି କରୁଛନ୍ତି। ଏହାସହ ଆକାଂକ୍ଷା ଜିଲ୍ଲାଗୁଡ଼ିକରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ। କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା କେନ୍ଦ୍ରୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ, ବାସ୍ତବ ସ୍ଥିତି ନିରୀକ୍ଷଣ, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ହିତାଧିକାରୀ, ସ୍ଥାନୀୟ ସାଂସଦ, ବିଧାୟକ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଓ ଅନ୍ୟ ଜନପ୍ରତିନିଧି ଏବଂ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବେ। ଏହାପରେ ସାମ୍ବାଦିକ ସମ୍ମିଳନୀ କରି ଗସ୍ତ ସମ୍ପର୍କରେ କହିବେ।

ଆଜି କେନ୍ଦ୍ର ମନ୍ତ୍ରୀ ସଞ୍ଜୀବ କୁମାର ବାଲ୍ୟାନ ଆଜି କୋରାପୁଟ ଗସ୍ତ କରିଥିବାବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୩ରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସି ଢେଙ୍କାନାଳ ଜିଲ୍ଲାରେ କେନ୍ଦ୍ରୀୟ ଜନକଲ୍ୟାଣ ଯୋଜନାର ସମୀକ୍ଷା କରିବେ। ସେହିପରି ନିକଟରେ ଅଶ୍ୱିନୀ ବୈଷ୍ଣବ– ମାଲକାନଗିରି, ଅର୍ଜୁନ ମୁଣ୍ଡା-କଳାହାଣ୍ଡି, ପ୍ରହ୍ଲାଦ ସିଂ ପଟେଲ –ଗଜପତି, ସାଧ୍ୱୀ ନିରଞ୍ଜନା ଜ୍ୟୋତି–ବଲାଙ୍ଗୀର, ଏସ୍‌.ବାଘେଲ- ନୂଆପଡା, ଶୋଭା କରନ୍ଦଲାଜେ- ନବରଙ୍ଗପୁର, ସୋମ ପ୍ରକାଶ- ରାୟଗଡା ଏବଂ ଶୁଭ ସରକାର – କନ୍ଧମାଳ ଜିଲ୍ଲା ଗସ୍ତ କରିବେ ବୋଲି ନିଷ୍ପତ୍ତି ହୋଇଛି। ଏହାବାଦ୍ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନି ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହେଉଥିବା ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ହଠାତ୍ ୧୧ଜଣ କେନ୍ଦ୍ର ଓଡ଼ିଶା ଗସ୍ତରେ ଆସିବା ସମସ୍ତଙ୍କୁ ଚକିତ କରୁଛି।

ସମ୍ବନ୍ଧିତ ଖବର