ଭୁବନେଶ୍ବର: କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ ରେଳ ବିକାଶ ନେଇ ଦାବି ଜଣାଇବା ପାଇଁ ଆଜି ବିଧାନସଭାର ଗୃହ କମିଟି ଆଜି ଦିଲ୍ଲୀ ଗସ୍ତ କରିଛନ୍ତି। କମିଟିର ସଦସ୍ୟ ଥିବା ବିଜେପିର ୩ ବିଧାୟକ ଗସ୍ତରେ ସାମିଲ ହୋଇ ନାହାନ୍ତି। ଅପର ପକ୍ଷରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ସତ୍ୟ ଓ ତଥ୍ୟ ଆଧାରରେ ନୁହେଁ, ବରଂ ନିଜର କ୍ଷୁଦ୍ର ରାଜେନୖତିକ ସ୍ବାର୍ଥ ପାଇଁ ବିଜେଡି ହୀନ ରାଜନୀତି କରୁଛି ବୋଲି ଦଳ ଅଭିଯୋଗ କରିଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଲେ, କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ବିଗତ ୬ ବର୍ଷରେ ରେଳବାଇ ବିକାଶ କ୍ଷେତ୍ରରେ ଓଡ଼ିଶା ପ୍ରତି ଦୀର୍ଘ ଦିନର ଅବହେଳାକୁ ଦୂର କରି ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ଓ ଆଇନଶୃଙ୍ଖଳା ପରିସ୍ଥିତି ସମସ୍ୟା ଯୋଗୁ ରେଳ ପ୍ରକଳ୍ପ କାମ ଦୀର୍ଘ ଦିନ ଧରି ଅଟକି ରହୁଛି। ରାଜ୍ୟର ଏପରି ସ୍ଥିତି ଥିବା ବେଳେ ବାଚସ୍ପତିଙ୍କ ନେତୃତ୍ବରେ ଗଠିତ ଗୃହ କମିଟିରେ ଶାସକ ବିଜେଡିର ଆଭିମୁଖ୍ୟ ସତ୍ୟ ଓ ତଥ୍ୟ ଆଧାରିତ ନୁହେଁ। ରେଳ ମନ୍ତ୍ରୀ ପିୟୂଷ ଗୋଏଲ ୨୦୧୯ ଜୁନ୍ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଓଡ଼ିଶାରେ ରେଳ ପ୍ରକଳ୍ପ ଆଗକୁ ଯିବା ମାମଲାରେ ଥିବା ସମସ୍ୟାଗୁଡ଼ିକର ବିସ୍ତୃତ ଆଲୋଚନା କରିଥିଲେ। ରାଜ୍ୟ ସରକାର ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ଓ ଏଥି ପାଇଁ ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କୁ କ’ଣ ଉତ୍ତର ଦେଇଛନ୍ତି, ତାହା ଲୋକ ଜାଣିପାରୁ ନାହାନ୍ତି। ଗୃହ କମିଟି ରେଳ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରେର ଏସବୁ ପ୍ରଶ୍ନର ଉତ୍ତର ଜନସାଧାରଣରେ ସ୍ପଷ୍ଟ ହେବା ଉଚିତ।
କଂଗ୍ରେସକୁ ସମାଲୋଚନା କରି ଦଳ କହିଛି, ଗୃହ କମିଟିରେ ଥିବା କଂଗ୍ରେସ ସଦସ୍ୟମାନେ ମୋଦୀ ସରକାରଙ୍କ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ଅବହେଳା ପ୍ରସଙ୍ଗ ଉଠାଇବା ସଇତାନର ବେଦପାଠ ସହ ସମାନ। ୧୦ ବର୍ଷର ୟୁପିଏ ଶାସନରେ ବାର୍ଷିକ େକବେ ବି ୧ ହଜାର କୋଟି ଟଙ୍କାରୁ ଉପରକୁ ଉଠି ନ ଥିବା ବେଳେ ମୋଦୀ ୪ ହଜାର କୋଟି ଟଙ୍କାରୁ କମ୍ ଦେଇ ନାହାନ୍ତି। ଏହି ତଥ୍ୟର ଜବାବ କଂଗ୍ରେସ ଦଳ ରଖୁ।
ମୋଦୀ ସରକାରରେ ଓଡ଼ିଶାକୁ ଅର୍ଥ ବରାଦ ସମ୍ପର୍କିତ ତଥ୍ୟ ରଖି ଶ୍ରୀ ମହାପାତ୍ର କହିଛନ୍ତି, ମୋଦୀ ସରକାରର ୬ ବର୍ଷରେ ଓଡ଼ିଶାକୁ ମୋଟ ୨୯ ହଜାର ୧୧୨ କୋଟି ଟଙ୍କା ରେଳ ବଜେଟ୍ରେ ଅନୁଦାନ ମିଳିଛି। ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ରେଳ ବଜେଟରେ ଓଡ଼ିଶାକୁ ୪,୩୭୩ କୋଟି ଟଙ୍କା ଅନୁଦାନ ମିଳିଛି। ଗତ ବର୍ଷ ୨୦୧୯-୨୦ରେ ଏ ବାବଦକୁ ୪ ହଜାର ୫୯୩ କୋଟି ଟଙ୍କା ମିଳିଥିଲା। ଏହା ସହ ୨୪୧ କିମି ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂଆ ରେଳ ଲାଇନ୍ ପ୍ରକଳ୍ପ ପାଇଁ ୨୯୫୭ କୋଟି ଟଙ୍କା ଅନୁଦାନ ମିଳିବ। ନୀତି ଆୟୋଗର ମଞ୍ଜୁରି ପରେ ଆଗାମୀ ଦିନରେ ଏହି ଅର୍ଥ ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/bjpbjd-logo.jpg)