ପକ୍କା ଘର ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି, ୨୦ ଲକ୍ଷ ପକ୍କା ଘର କଥା ସରକାର ଜାଣିଲେ କିପରି

ଲୋକଙ୍କୁ ବିଭ୍ରାନ୍ତ କରିବା ଉଦ୍ୟମରୁ ବିଜେପି ବିରତ ରହୁ : ବିଜେଡି

ଭୁବନେଶ୍ବର: ଆସନ୍ତା ୩ ବର୍ଷ ଭିତରେ ରାଜ୍ୟରେ ସବୁ କଚ୍ଚା ଘରକୁ ପକ୍କା ଘର କରିବା ଲକ୍ଷ୍ୟରେ ସରକାର ମାର୍ଚ୍ଚ ମାସରେ ୨୦ ଲକ୍ଷ କାର୍ଯ୍ୟାଦେଶ ବଣ୍ଟନ କରିବେ। ଏ ନେଇ ଗତକାଲି ପଞ୍ଚାୟତିରାଜ ମନ୍ତ୍ରୀ ଘୋଷଣା କଲା ପରେ ଆଜି ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛି। କୌଣସି ଆଧାର ନ ଥାଇ ୨୦ ଲକ୍ଷ ପକ୍କା ଘର ଆବଶ୍ୟକ ଥିବାର ସରକାର କିପରି ଜାଣିଲେ ‌େବାଲି ଦଳ ପ୍ରଶ୍ନ କରିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ସମ୍ପୂର୍ଣ୍ଣ ହିତାଧିକାରୀ ତାଲିକା ପ୍ରସ୍ତୁତ କରିପାରି ନାହାନ୍ତି। ରାଜ୍ୟ ସରକାର ସର୍ବପ୍ରଥମେ ୨୭,୪୯,୬୧୭ ହିତାଧିକାରୀଙ୍କ ତାଲିକା ଘୋଷଣା କରିଥିଲେ। ଦଳୀୟ ଭିତ୍ତିରେ ଏହା ପ୍ରସ୍ତୁତ ହୋଇଥିବାରୁ ବିଜେପି ବିରୋଧ କରିଥିଲା। ଚାପର ବଶବର୍ତ୍ତୀ ହୋଇ ରାଜ୍ୟ ସରକାର ଏହାର ତଦନ୍ତ କରିବା ପରେ ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବାର ସ୍ପଷ୍ଟ ହୋଇଥିଲା। ତଦନ୍ତ ପରେ ୧୩,୬୫,୦୨୫ ‌ଅଯୋଗ୍ୟ ହିତାଧିକାରୀ ଥିବାର ଜଣାପଡ଼ିବା ପରେ ପୁନଃ ତାଲିକା ପ୍ରସ୍ତୁତ କରି ଡିସେମ୍ବର ୩୧ ତାରିଖ ସୁଦ୍ଧା ନୂଆ ତାଲିକା କରାଯିବ ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ତାଲିକା ପ୍ରସ୍ତୁତ କରାଯାଇ ନାହିଁ। ଏବେ ରାଜ୍ୟ ସରକାର ୩ ବର୍ଷରେ ୨୦ ଲକ୍ଷ ବିଜୁ ପକ୍କା ଘର ଯୋଗାଇ ଦେବାର ଘୋଷଣା କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରାଇବାର ଅପଚେଷ୍ଟା କରିଛନ୍ତି। ଯଦି ସରକାର ୨୦ ଲକ୍ଷ ହିତାଧିକାରୀ ତାଲିକା ପ୍ରସ୍ତୁତ କରିଛନ୍ତି, ତେବେ ତାହାକୁ ସାର୍ବଜନୀନ କରନ୍ତୁ। କେଉଁ ଯୋଜନାରେ କେତେ ପକ୍କା ଘର ନିର୍ମାଣ କରିବେ, ତା‌ହା ସ୍ପଷ୍ଟ କରନ୍ତୁ। ଜିଲ୍ଲା ୱାରି ଠିକ୍ ତାଲିକା ପ୍ରସ୍ତୁତ କରାଯାଇ ହିତାଧିକାରୀଙ୍କ ନାମ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶ କରାଯାଉ। ଯଦି ସତରେ ସରକାର ୨୦ ଲକ୍ଷ ହିତାଧିକାରୀଙ୍କୁ ଘର ଦେବାକୁ ଚାହୁଁଛନ୍ତି, ତେବେ ଏଥି ପାଇଁ ୪୦ ହଜାର କୋଟି ଟଙ୍କାର ବଜେଟ ବ୍ୟୟବରାଦ ଘୋଷଣା କରିବାକୁ ଶ୍ରୀ ହରିଚନ୍ଦନ ଆହ୍ବାନ ଦେଇଛନ୍ତି। କେନ୍ଦ୍ରୀୟ ସହାୟତାରେ ନିର୍ମାଣ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାମ ପରିବର୍ତ୍ତନ କରି ନିଜସ୍ବ ନାମରେ ନାମକରଣ କରିବା ସଂଘୀୟ ବ୍ୟବସ୍ଥାକୁ ଅସମ୍ମାନ। ଏପରି କଲେ ଆଗାମୀ ଦିନରେ ବଡ଼ ରାଜନୈତିକ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ ଉପସ୍ଥିତ ଥିଲେ।

ଭୁବନେଶ୍ବର: ପକ୍କା ଘର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ୍‌ କଲା ପରେ ତାହାର ଜବାବ ରଖିଛି ବିଜେଡି। ଦଳ କହିଛି, ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ଓଡ଼ିଶାକୁ ଦିଲ୍ଲୀରେ ପୁରସ୍କୃତ କରୁଥିବା ବେଳେ ଓଡ଼ିଶା ବିଜେପି ଲୋକଙ୍କୁ ଭୁଲ୍‌ ସୂଚନା ଦେଇ ବିଭ୍ରାନ୍ତ କରିବାକୁ ବୃଥା ଉଦ୍ୟମ ଚଳାଇଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ କରି ଗାଁ ଗହଳିର ଲୋକଙ୍କୁ ପକ୍କା ଘର ଯୋଗାଣ ଲାଗି କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାର ଓଡ଼ିଶାକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି। କିନ୍ତୁ ବିଜେପି ନେତାମ‌ାନେ ବିଜେଡି ସରକାରର ଭଲ କାମକୁ ଭୁଲି ଯାଉଛନ୍ତି। ଏହି ନେତାମାନେ ଗ୍ରାମାଞ୍ଚଳ ଗୃହ ନିର୍ମାଣ ସୂଚନା କେନ୍ଦ୍ରରୁ ସଂଗ୍ରହ କରି ଲୋକଙ୍କୁ ବିଭ୍ରାନ୍ତ କରିବାରେ କ୍ଷାନ୍ତ ରୁହନ୍ତୁ। ଏମିତି ଦାୟିତ୍ବହୀନ ଓ ଅସତ୍ୟ ମନ୍ତବ୍ୟ ଦେବା ଫଳରେ ରାଜ୍ୟବାସୀଙ୍କ ନିକଟରେ ଓଡ଼ିଶା ବିଜେପି ତା’ର ବିଶ୍ବସନୀୟତା ହରାଇ ପ୍ରତ୍ୟାଖ୍ୟାତ ହେଉଛି। ଏପରି ଆଚରଣରୁ ବିରତ ନ ରହିଲେ ଭବିଷ୍ୟତରେ ମଧ୍ୟ ରାଜ୍ୟବାସୀ ଏହି ଦଳକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଶ୍ରୀ ପାତ୍ର ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର