ଧର୍ମଶାଳା ବିଡିଓଙ୍କୁ ଚାକିରିରୁ ବହିଷ୍କାର କରାଯାଉ: ବିଜେପି

ରାସନକାର୍ଡ ତାଲିକାରୁ ପ୍ରକୃତ ହିତାଧିକାରୀଙ୍କ ନାଁ କାଟିବା ପ୍ରସଙ୍ଗ
ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ

ଭୁବନେଶ୍ୱର : ରାଜ୍ୟରେ ରାସନ କାର୍ଡ ବଣ୍ଟନ ନେଇ ବ୍ୟାପକ ଦୁର୍ନୀତି ଚାଲିଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କ ନାଁ କାଟି ଶାସକ ଦଳର ସମର୍ଥକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ରଖାଯାଇଛି। ଧର୍ମଶାଳା ବ୍ଲକରେ ୨୦ ହଜାରରୁ ଅଧିକ ଲୋକଙ୍କ ନାଁ ମିଥ୍ୟା ସତ୍ୟପାଠ ଦର୍ଶାଇ କଟାଯାଇଛି। ଯେଉଁ ଲୋକମାନଙ୍କର ଗାଡ଼ି, କୋଠାଘର ନାହିଁ ସେହି ଲୋକଙ୍କ ନାଁ ହିତାଧିକାରୀ ତାଲିକାରୁ କଟାଯାଇଛି। ଏସବୁ ବିଡିଓଙ୍କ ଜାଣତରେ ଚାଲିଛି। ଏହାକୁ ନେଇ ଏକ ମାମଲା ହାଇକୋର୍ଟରେ ଥିବା ବେଳେ ବିଡିଓ ମିଥ୍ୟା ସତ୍ୟପାଠ ଦାଖଲ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେପି ଅଭିଯୋଗ କରିଛି। ବିଡିଓଙ୍କୁ ତୁରନ୍ତ ଚ‌ାକିରିରୁ ବହିଷ୍କାର କରିବାକୁ ଦଳ ଦାବି କରିଛି।

ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଧର୍ମଶାଳା ବିଡିଓ ଚାଳ ଛପର ଘର ଥିବା ଯୋଗ୍ୟ ହିତାଧିକାରୀଙ୍କର କୋଠା ଘର ଥିବା ଦର୍ଶାଇ ରାସନ କାର୍ଡରୁ ବଞ୍ଚିତ କରିଛନ୍ତି। ଜଣେ ହିତାଧିକାରୀ ଡଲି ମଲ୍ଲିକଙ୍କ ଘରେ ଅଧିକ ବିଜୁଳି ବ୍ୟବହାର ହେଉଛି ବୋଲି ବିଡିଓ ସତ୍ୟପାଠରେ ଦର୍ଶାଇଥିବା ବେଳେ ବାସ୍ତବରେ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ କରାଯାଇନାହିଁ। ଏହିପରି ଅନେକ ଉଦାହରଣ ରହିଛି ଯେଉଁଥିରେ ଯୋଗ୍ୟ ହିତାଧିକାରୀଙ୍କୁ ବିଡିଓ ଅଣଦେଖା କରି ମିଥ୍ୟା ସତ୍ୟପାଠ ହାଇକୋର୍ଟରେ ଦାଖଲ କରିଛନ୍ତି। ଆହୁରି ମଧ୍ୟ ଧର୍ମଶାଳା ବିଡିଓ ପିଡିଏସ୍‌ ଖାତାରୁ ଅତି ଗରିବ ଓ ଯୋଗ୍ୟ ହିତାଧିକାରୀ ସ୍ୱର୍ଣ୍ଣଲତା ଓ ରମାଦେଇଙ୍କ ନାଁ କାଟି ଦେଇଛନ୍ତି। ସେମାନଙ୍କର ପକ୍କା ଘର ଥିବାରୁ ରାସନ କାର୍ଡ କଟାଯାଇଛି ବୋଲି ବିଡିଓ ସତ୍ୟପାଠ ଦେଇଛନ୍ତି। କିନ୍ତୁ ବାସ୍ତବରେ ସେମାନଙ୍କର ପକ୍କା ଘର ହିଁ ନାହିଁ। ବିଡିଓଙ୍କ ଚଞ୍ଚକତାର ଏମିତି ଲମ୍ବା ତାଲିକା ରହିଛି। ପୂରା ବ୍ଲକରେ ରାସନ କାର୍ଡ ବ୍ୟାପକ ଅନିୟମିତତାର ପ୍ରମାଣ ମିଳିଛି। କେବଳ ଗୋଟିଏ ବ୍ଲକ ନୁହେଁ ବରଂ ସାରା ରାଜ୍ୟରେ ଏମିତି ଦୁର୍ନୀତି ଚାଲିଛି। ରାସନ କାର୍ଡରୁ ପ୍ରଥମେ ଯୋଗ୍ୟ ହିତାଧିକାରୀଙ୍କ ନାଁ କଟାଯାଉଛି ଏବଂ ପରେ ସେମାନଙ୍କୁ ପୁଣିଥରେ ଯୋଡ଼ିବା ପାଇଁ ସେମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି। ଏଥିରେ ଶାସକ ଦଳର ନେତାମାନଙ୍କର ସଂପୃକ୍ତି ରହିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ୫-ଟି କଥା କହୁଥିବା ବେଳେ ତାଙ୍କରି ଦଳର ନେତା ଓ ସରକାରୀ ଅଧିକାରୀମାନେ ରାସନ କାର୍ଡ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ଶାସକ ଦଳ ସମର୍ଥିତ ଅଯୋଗ୍ୟ ଲୋକଙ୍କୁ ରାସନ କାର୍ଡ ପ୍ରଥମେ ମିଳୁଛି। ଗରିବଙ୍କ ପେଟରେ ରାଜ୍ୟସରକାର ଲାତ ମାରି ଅଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ ସାମଗ୍ରୀ ପହଞ୍ଚାଉଛନ୍ତି। ଅନେକ ସ୍ଥାନରେ ଭୂତଙ୍କ ନାଁରେ ରାସନ ସାମଗ୍ରୀ ହଡପ କରାଯାଉଛି। ରାଜ୍ୟରେ ଚାଲିଥିବା ରାସନ କାର୍ଡ ଦୁର୍ନୀତିର ସିବିଆଇ ତଦନ୍ତ କରାଯିବାକୁ ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର