ମମିତା ହତ୍ୟାକାଣ୍ଡ ମାମଲା: ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର: ‘ହେଲିକପ୍ଟରରେ ଗୋବିନ୍ଦଙ୍କ ସ୍କୁଲକୁ ଆସୁଥିଲେ ମନ୍ତ୍ରୀ । ସ୍କୁଲକୁ ନିଜ ଜୀବନ ବୋଲି କହୁଥିଲେ’ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛି ବିଜେପି । ମମିତା ମୃତ୍ୟୁ ମାମଲାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏଥିରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଗୋଇ ଖୋଳିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ଏହି ଘଟଣାରେ ବିଦ୍ୟାଳୟର ସଭାପତି ତଥା ମାଲିକ କୁହାଯାଉଥିବା ଗୋବିନ୍ଦ ସାହୁ ସହ ମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସମୀର କହିଛନ୍ତି ପବିତ୍ର ଶିକ୍ଷାନୁଷ୍ଠାନରେ ଚାଲୁଥିଲା ଯୌନ ବ୍ୟଭୀଚାର ପରି କଦର୍ଯ୍ୟ କାର୍ଯ୍ୟ, ଯେଉଁଥିରେ ଖୋଦ ଗୃହରାଷ୍ଟ୍ର ମନ୍ତ୍ରୀ ସାମିଲ ଥିଲେ । ତେବେ ଗୋବିନ୍ଦଙ୍କ ସ୍କୁଲକୁ ୨ ମନ୍ତ୍ରୀ ହେଲିକପ୍ଟରରେ କାହିଁକି ଆସୁଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସମୀର ମହାନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଗୋବିନ୍ଦଙ୍କ ସ୍କୁଲକୁ ହେଲିକପ୍ଟରରେ ଆସୁଥିଲେ । ସେଠାରେ ଚାଲୁଥିବା ଯୌନ କେଳେଙ୍କାରୀ ବିଷୟରେ ଜାଣିଥିଲେ । ଏହି କଲେଜର ସଭାପତି ତଥା ଘଟଣାର ଅଭିଯୂୁକ୍ତ ଗୋବିନ୍ଦ ସାହୁଙ୍କ ଭୂୟସୀ ପ୍ରଶଂସା କରିବା ସହ ଏହି ସ୍କୁଲ ତାଙ୍କର ଜୀବନ ବୋଲି କହୁଥିଲେ । ଏହା ଓଡିଶାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରେଭେନ୍ସା ଠାରୁ ବି କିଛି କମ୍ ନୁହେଁ ବୋଲି ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହିଥିବା ଏହି ପ୍ରେସମିଟରେ ପ୍ରକାଶ କରିଛନ୍ତି ସମୀର ମହାନ୍ତି । ତେବେ ମନ୍ତ୍ରୀ ବାରମ୍ବାର ଏହି ସ୍କୁଲକୁ କାହିଁକି ଆସୁଥିଲେ ଏବଂ ହେଲିକପ୍ଟରରେ କାହିଁକି ଆସୁଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏ ସମ୍ପୂର୍ଣ୍ଣ ଘଟଣା ଏକ ଅସମାହିତ ପ୍ରଶ୍ନ , ଯାହାର ଉତ୍ତର ସାରା ଓଡିଶାବାସୀ ଚାହୁଁଥିବା କହିଛନ୍ତି ସମୀର ମହାନ୍ତି । ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କର ସକ୍ରିୟ ସମ୍ପୃ୍କ୍ତି ଥାଇ ବି ଘଟଣାକୁ ଚପାଇ ଦିଆଯାଉଥିବା ଅଭିଯୋଗ ଆଣିଛି ବିଜେପି । ତେବେ କେବଳ ଏହି ଘଟଣାରେ ନୁହେଁ ପୂର୍ବରୁ ମଧ୍ୟ ଏପରି ଅନେକ ଜଘନ୍ୟ ଘଟଣାରେ ମନ୍ତ୍ରୀମାନଙ୍କର ସମ୍ପୃକ୍ତି ଥିବା ଜାଣିବା ପରେ ମଧ୍ୟ ବିଜେଡି ସରକାର ନିରବ ରହିଛନ୍ତି ।

ଏହି ଘଟଣା କ୍ରମରେ ମାହାଙ୍ଗା ନୃତାଙ୍ଗ ଡବଲ ମର୍ଡର କେସରେ ଜଣେ ମନ୍ତ୍ରୀ ଥିବା ଜଣାପଡିଥିଲେ ବି ତାଙ୍କୁ ଜେରା ପାଇଁ ମଧ୍ୟ ଡକାଇଲାନି ପୁଲିସ । ଏହାପରେ ନୟାଗଡ ପରୀ ଘଟଣା, ଏପରିକି ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ,ଡିଏଫଓ, ଜଙ୍ଗଲ ମନ୍ତ୍ରୀ ଓ କିଛି ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲେ ବି ସରକାର ଏସବୁ ଘଟଣାକୁ ଚପାଇଦେବାକୁ ଚେଷ୍ଟା କରିଛନ୍ତି । ସବୁ ଜାଣିବି ନିଜ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଥିବା ଅଭିଯୋଗ ବାଢିଛି ବିଜେପି । ଅନ୍ୟପଟେ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ହତ୍ୟା କରିବା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଏବଂ ଗିରଫ ଦାବିରେ ବିଜେପି ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଆଜି ବିକ୍ଷୋଭ କରାଯାଇଥିଲା ।

ସମ୍ବନ୍ଧିତ ଖବର