ବିଜେପି ଟାର୍ଗେଟରେ ଦୁଇ ଆଇପିଏସ୍‌

ଗୃହ ସଚିବଙ୍କ ନିକଟରେ ଫେରାଦ

ଭୁବନେଶ୍ବର : ସିବିଆଇ ଓ ଓଡ଼ିଶା ପୁଲିସ୍ ସମନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲା ବେଳେ ଅଫିସର୍‌ଙ୍କୁ ବିବାଦକୁ ଟାଣିଛି ବିଜେପି। ଦୁଇ ଜଣ ଆଇପିଏସ୍‌ ଅଫିସର୍‌ଙ୍କୁ ଦଳ ସିଧାସଳଖ ଟାର୍ଗେଟ୍ କରିଛି। ଦକ୍ଷିଣାଞ୍ଚଳ ଆଇଜି ଅମିତାଭ ଠାକୁର ଓ ଡିଆଇଜି ଆଶିଷ ସିଂହଙ୍କ ବିରୋଧରେ ବିଜେପି ଗୃହ ସଚିବଙ୍କ ନିକଟରେ ଫେରାଦ ହୋଇଛି। ଦଳ ଅଭିଯୋଗ କରିଛି, ଏହି ଦୁଇ ଜଣ ଅଫିସର୍‌ ଶାସକ ବିଜେଡିର ହାତବାରେସି ସାଜି ଚକ୍ରାନ୍ତ କରି ବିରୋଧୀଙ୍କୁ ବିଭିନ୍ନ ମିଥ୍ୟା ମକଦ୍ଦମାରେ ଫସାଇଲା ପରି କାର୍ଯ୍ୟ କରୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନନୀୟ।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ୩ ବର୍ଷରୁ ଅଧିକ ସମୟ ଧରି କୌଣସି ଅଫିସର୍‌ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ। ଏହା ସତ୍ତ୍ବେ ରାଜ୍ୟ ସରକାର ଅମିତାଭ ଠାକୁର ଓ ଆଶିଷ ସିଂହ ୩ ବର୍ଷରୁ ଅଧିକ ଗୋଟିଏ ସ୍ଥାନରେ କିପରି ଅଛନ୍ତି ? ଆଗାମୀ ନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ଏହି ଦୁଇ ଅସାଧୁ ଅଫିସର୍‌ଙ୍କୁ ତୁରନ୍ତ ‌େସଠାରୁ ବଦଳି କରାଯିବା ଉଚିତ। ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ନାଁରେ ଅମିତାଭ ଠାକୁର ମିଥ୍ୟା ମାମଲା ଲଗାଇଥିଲେ। ଏବେ ବିଜୁ ଯୁବ ବାହିନୀର ଗୁଣ୍ଡାମାନଙ୍କୁ ଲଗାଇ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରୁଛନ୍ତି। ଅନ୍ୟ ପଟେ ପୂର୍ବରୁ ଗଞ୍ଜାମ ଓ ବ୍ରହ୍ମପୁରରେ ଏସ୍‌ପି ଥିବା ଆଶିଷ ସିଂହ ୩୭ଟି ମିଥ୍ୟା ଏନ୍‌କାଉଣ୍ଟର୍‌ରେ ସାମିଲ ‌ଅଛନ୍ତି। ବିଜେଡିକୁ ବିରୋଧ କରୁଥିବା ଲୋକଙ୍କୁ ଏହି ଦୁଇ ଜଣ ଅଫିସର୍‌ ଏନ୍‌କାଉଣ୍ଟର୍‌ ଓ ଧର୍ଷଣ ମାମଲା ଲଗାଇ ଜେଲ୍‌ରେ ପୂରାଇବାର ଧମକ ଦେଉଛନ୍ତି।

ବିଜେପି ପକ୍ଷରୁ ଗୃହ ସଚିବଙ୍କୁ ସ୍ମାରକପତ୍ର ଦିଆଯିବା ସହ ଭାରତର ନିର୍ବାଚନ ଅ‌ାୟୋଗ, ରାଜ୍ୟ ନିର୍ବାଚନ ଆ‌‌େୟାଗ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ଗୃହ ସଚିବଙ୍କୁ ଭେଟିଥିବା ପ୍ରତିନିଧି ଦଳରେ କନକ ବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ସମୀର ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର, ଦିଲ୍ଲୀପ ମହାନ୍ତି ଓ ପିତାମ୍ବର ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର