ବିଜେଡି ରାଜ୍ୟରେ ରାଜନୈତିକ ଆତଙ୍କବାଦ କରୁଛି: ବିଜେପି

ଭୁବନେଶ୍ବର : ଦୁଇ ଦିନ ତଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର, କଳାହାଣ୍ଡି, ସୋନପୁର ଜିଲ୍ଲାର ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରିବା ପରେ ସ୍ଥାନୀୟ ପ୍ରଶାସନ ସହ ବନ୍ୟା ସ୍ଥିତିର ସମୀକ୍ଷା କରୁଥିଲେ। ହେଲେ ବୈଠକ ଆରମ୍ଭ ହେବା ପୂର୍ବରୁ ବିଜେଡି ନେତା ଓ କାର୍ଯ୍ୟକର୍ତ୍ତାମାନେ ବୈଠକ ବାହାରେ ଉଦ୍ଦେଶ୍ୟମୂଳକ ଭାବେ ଗୁଣ୍ଡାଗର୍ଦ୍ଦି କରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ। ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ଆଜି ଦଳ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଲେ, ରାଜନୈତିକ ଦଳ ଲଢ଼େଇର ଏକ ନିର୍ଦ୍ଦିଷ୍ଟ ସମୟ ଅଛି। କିନ୍ତୁ ଯେତେବେଳେ ସାଧାରଣ ଲୋକ ବନ୍ୟା ବିପତ୍ତିରେ ଫସି ଦୁଃଖ ଦୁର୍ଦ୍ଦଶାରେ ଅଛନ୍ତି ସେତେବେଳେ ଶାସକ ଦଳ ନିଜର ଦାୟିତ୍ବ ନିର୍ବାହ କରିପାରୁନଥିବା ବେଳେ ବନ୍ୟା ବିପତ୍ତିଙ୍କ ଦୁଃଖ ବୁଝିବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କ ପ୍ରତି ବିଜେଡିର ଏହି ରାଜନୈତିକ ଆତଙ୍କବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା।

ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସାଧାରଣରେ ଦୁର୍ବ୍ୟବହାର ପ୍ରଦର୍ଶନ ପରେ ବି ସଂପୃକ୍ତ ବ୍ୟକ୍ତିଙ୍କୁ କାହିଁକି ଗିରଫ କରାଯାଉନି? ପୁଲିସ କାହିଁକି ଚୁପ୍ ବସିଛି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ଯେ, ଅତୀତରେ ବିଜେଡିର କର୍ମୀମାନେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ସ୍ବାଧୀ ନିରଞ୍ଜନ ଜ୍ୟୋତିଙ୍କ ଉପରକୁ ପଥରମାଡ଼ କରିଥିଲେ। ଏହି ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚୁପ୍ ରହିଥିଲେ। ଏବେ ସେମିତି ଚୁପ୍ ରହିବେ ନା କିଛି କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକି ରହିଲା।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏବଂ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର