ରାମ୍‌କୋକୁ ପ୍ରଶ୍ନ କଲେ ବିଜେଡିକୁ କାହିଁକି ବାଧୁଛି: ବିଜେପି

ଭୁବନେଶ୍ବର : ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାରେ ରାମକୋ ସିମେଣ୍ଟ କମ୍ପାନି ଲିମିଟେଡର ସମ୍ପର୍କ ରହିଛି। କମ୍ପାନି ହାତେଇଥିବା ବେଆଇନ ଜମି ଜବରଦଖଲକୁ କେନ୍ଦ୍ର କରି ପିଇଓ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି। ଏବେ ରାମକୋ କମ୍ପାନି ଏବଂ ରଙ୍ଗଶାଳା ସମ୍ପର୍କରେ ସ୍ବର ଉଠାଇଲେ ବିଜୁ ଜନତାଦଳକୁ କାହିଁକି ବାଧୁଛି ବୋଲି ପ୍ରଶ୍ନ କରିଛି ବିଜେପି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ସୋନାଲି ସାହୁ ବିଜୁ ଜନତା ଦଳକୁ ଏପରି ଟାର୍ଗେଟ କରିଛନ୍ତି।

ଶ୍ରୀମତୀ ସାହୁ ଅଭିଯୋଗ କରି କହିଥିଲେ, ସ୍ମିତାରାଣୀ ହତ୍ୟାକାଣ୍ଡ ମାମଲାକୁ ରାଜ୍ୟ ସରକାର ଚାପିଦେବା ପାଇଁ ଉଦ୍ୟମ ଚଳାଇଛନ୍ତି। ରାମକୋ କମ୍ପାନି ପ୍ରତି ରାଜ୍ୟସରକାରଙ୍କର ଏତେ ଅନୁକମ୍ପା କାହିଁକି? ବିନା ଗ୍ରାମସଭାରେ ଏସବୁ ଜମିକୁ ରାମକୋ କିଭଳି ଭାବେ ଜବରଦଖଲ କଲା? ସ୍ମିତାରାଣୀ ହତ୍ୟା ଘଟଣାରେ ରୂପେଶ ଭଦ୍ରଙ୍କ ସମେତ ଚାରିଜଣ ନିର୍ବାଚିତ ପ୍ରତିନିଧି ସାମିଲ ଅଛନ୍ତି। କିନ୍ତୁ ଜଣକୁ ଗିରଫ କରି ସରକାର ଦାୟିତ୍ବ ସାରିଦେଲେ। ଯାଜପୁର ଏସପି ନାରୀର ଚରିତ୍ର ସଂହାର କରୁଥିବାବେଳେ ବାକି ଚାରିଜଣଙ୍କୁ କଣ ପାଇଁ ତଦନ୍ତ ପରିସରକୁ ଆଣିଲେ ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି। ବିଜେଡି ମୁଖପାତ୍ର ସୁଲତା ଦେଓ ଜଣେ ମହିଳା ହୋଇ ମହିଳା ପ୍ରସଙ୍ଗରେ ବିରୋଧୀ ଦଳ ମହିଳାଙ୍କୁ ଅପମାନିତ କରିଛନ୍ତି। ସେ ତୁରନ୍ତ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ। ଯଦି ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ପ୍ରକୃତରେ ଚାହୁଁଛି ତେବେ ହତ୍ୟାକାଣ୍ଡର ତଦନ୍ତଭାର ସିବିଆଇକୁ ପ୍ରଦାନ କରାଯାଉ ବୋଲି ଶ୍ରୀମତୀ ସାହୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର