ଭୁବନେଶ୍ବର : ସଂଘୀୟ ବ୍ୟବସ୍ଥା ବିଧି ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ ଉଲ୍ଲଂଘନ କରି ରାଜ୍ୟର ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ହଡ଼ପ କରିବା ଷଡ଼ଯନ୍ତ୍ରକୁ ବାରମ୍ବାର ବିରୋଧ କରି ଆସିଛି ବିଜେପି। ଯାଜପୁର ଜିଲ୍ଲା ଡିଆରଡିଏ ତରଫରୁ ପିଡି ଡିଆରଡିଏଙ୍କ ଦସ୍ତଖତରେ ଜିଲ୍ଲାର ୧୦ଟି ବ୍ଲକ୍‌ ପାଇଁ ୧୪ ହଜାର ୧୩୧ଟି ବିଜୁ ପକ୍କା ଘରର ଚିତ୍ର ସହ ଟାଇଲ ଯୋଗାଇ ଦେବା ପାଇଁ ବରାଦ ଦିଆଯାଇଛି। ରାଜ୍ୟ ସରକାରଙ୍କ ଯୋଜନା ବିଜୁ ପକ୍କା ଘର ଚିତ୍ର ଟାଇଲ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗାଇ ଦିଆଉଥିବା ଘରଗୁଡିକ ଉପରେ ଲଗାଇ କେନ୍ଦ୍ର ଯୋଜନାକୁ ହଡ଼ପ କରି ରାଜ୍ୟର ସାଧାରଣ ଜନତକାକୁ ଠକିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସଂଘୀୟ ବିଧି ବ୍ୟବସ୍ଥା ବିରୋଧୀ କାର୍ଯ୍ୟକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ବିରୋଧ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି, ଯାଜପୁର ଜିଲ୍ଲା ବିଜୁ ପକ୍କା ଘର ଚିତ୍ର ପ୍ରସ୍ତୁତି ନିର୍ଦେଶକୁ ବାତିଲ କରିବା ସହ ଏହି ଅର୍ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚିତ୍ର ପ୍ରସ୍ତୁତ କରି ହିତାଧିକାରୀଙ୍କ ଘର ଉପରେ ଲଗାଇବା ପାଇଁ ଦାବି କରିଛନ୍ତି। ଜଣେ ସରକାରୀ କର୍ମଚାରୀଙ୍କୁ ଯୋଜନାର ନାଁ ବଦଳାଇବାର ଅଧିକାର କିଏ ଦେଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଗତ ବଜେଟ୍‌ରେ ରାଜ୍ୟ ସରକାର ନିଜର ନିଜସ୍ବ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ବିଜୁ ପକ୍କା ଘର ଯୋଜନାରେ ଟଙ୍କାଟିଏ ମଧ୍ୟ ବ୍ୟୟବରାଦ କରି ନାହାନ୍ତି। ରାଜ୍ୟ ସରକାର ଚଚଂକତା କରି ଯୋଜନାକୁ ହଡ଼ପ ବନ୍ଦ କରନ୍ତୁ। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାର ଦେଇଥିବା ନିର୍ଦେଶନାମାକୁ ତୁରନ୍ତ ବାତିଲ କରନ୍ତୁ। ଚଳିତ ୨୦୧୯ ଆର୍ଥିକ ବର୍ଷରେ ଧାର୍ଯ୍ୟ ୧ ଲକ୍ଷ ୬୫ ହଜାର ବାସଗୃହ ମଧ୍ୟରୁ ଅଦ୍ୟାବଧି ମାତ୍ର ୭୯ ହାଜର ବାସଗୃହ ନିର୍ମାଣ ସରିଥିବାବେଳେ ଆସନ୍ତା ୩ ମାସ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ କେମିତି ପୂରଣ କରିବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ୨୦୨୨ ସୁଦ୍ଧା ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟରେ ପକ୍କା ଘର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ବିଜେଡିର ଥିଲାବାଲା ଲୋକଙ୍କୁ ପକ୍କା ଘର ଯୋଗାଇ ଦେଇ ଆସୁଛନ୍ତି। ଏହା ଦ୍ବାରା ଯୋଜନା ବାଟବଣା ହେଉଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଖୋଦ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀଠାରୁ ଓଡ଼ିଶାର ୩୦ ଜିଲ୍ଲାର ଏଭଳି ତଥ୍ୟ ସମ୍ବଳିତ ଦସ୍ତାବିଜ ବାରମ୍ବାର ଉପସ୍ଥାପନ କଲେ ମଧ୍ୟ ରାଜ୍ୟ ସରକାର ଗରିବ ବିରୋଧୀ ଓ ଦଳୀୟ ସ୍ବାର୍ଥ ସାଧାନ ଆଭିମୁଖ୍ୟରେ ପରିବର୍ତନ ଆଣୁ ନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।