ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଦିନ ଅର୍ଥାତ ୫ ତାରିଖରେ ପୁରୀରେ ରାଜ୍ୟ ସରକାର ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ମାନଙ୍କର ଏକ ସମାବେଶ କରିବେ। ସେଠାରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ଦଳର ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ମହିଳାଙ୍କୁ ନେଇ ଭୋଟ୍‌ ରାଜନୀତି କରୁଛନ୍ତି। ମହିଳାଙ୍କୁ କିପରି ଆର୍ଥିକ ସ୍ବାବଲମ୍ବୀ କରାଯିବ, ତାହା ନ କରି କେବଳ ନିର୍ବାିଚନ ଜିତିବା ଲକ୍ଷ୍ୟରେ ମହିଳାଙ୍କୁ ଭ୍ରମରେ ପକାଇବା ସରକାର ବନ୍ଦ କରନ୍ତୁ।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଲେ, ଓଡ଼ିଶାର ଜନସଂଖ୍ୟାର ୫୦ ପ୍ରତିଶତ ହେଲେ ମହିଳା। କିନ୍ତୁ ଓଡ଼ିଶାରେ ମହିଳାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ସରକାର ଯେପରି ଧ୍ୟାନ ଦେବା କଥା ତାହା ଦେଉ ନାହାନ୍ତି। ମହିଳାଙ୍କୁ କେବଳ ନିର୍ବାଚନ ଜିତିବା ପାଇଁ ବ୍ୟବହାର କରୁଛନ୍ତି। ମହିଳାଙ୍କ ଆର୍ଥିକ ସ୍ଥିତି, ସେମାନଙ୍କ ସ୍ବାସ୍ଥ୍ୟ, ପରିମଳ ସବୁଥିରେ ଓଡ଼ିଶା ପଛରେ। ମହିଳା‌ ବିରୋଧୀ ହିଂସାରେ ଓଡ଼ିଶା ଦେଶରେ ସବୁଠାରୁ ଉଦ୍‌ବେଗଜନକ ସ୍ଥିତିରେ ଅଛି। ରାଜ୍ୟ ସରକାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ମହିଳାଙ୍କୁ ପଇସା ବାଣ୍ଟିବାକୁ ଯାଉଛନ୍ତି। ପ୍ରତି ଏସ୍‌ଏଚ୍‌ଜିକୁ ସରକାର ୩ ବର୍ଷରେ ୧୫ ହଜାର ଟଙ୍କା ଦେବେ। ପ୍ରତି ଏସ୍‌ଏଚ୍‌ଜିରେ ୧୦ରୁ ୧୫ ଜଣ ମହିଳା ସଦସ୍ୟ ଅଛନ୍ତି। ତା’ହେଲେ ମୁଣ୍ଡ ପିଛା ୧୦୦୦ ଟଙ୍କା ପ୍ରତି ମହିଳାଙ୍କୁ ମିଳିବ। ୩ ବର୍ଷରେ ଜଣେ ମହିଳାଙ୍କୁ ୧୦୦୦ ଟଙ୍କା ମିଳିଲେ ତା’ର କ’ଣ ଅର୍ଥନୈତିକ ବିକାଶ ହେବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବନ କରାଯିବା ଦରକାର। ମହିଳା ଓ ଶିଶୁ ବିକାଶ ବିଭାଗର ବଜେଟ୍‌କୁ ଦେଖିଲେ ଲାଗୁଛି ଯେ ରାଜ୍ୟ ସରକାର ଏସ୍‌ଏଚ୍‌ଜିଙ୍କ ବିକାଶ ପାଇଁ ଆଦୌ ଯତ୍ନବାନ ନୁହନ୍ତି। ମହିଳା ସଶକ୍ତିକରଣ ଯୋଜନାରେ ୨୦୧୬-୧୭, ୨୦୧୭-୧୮ରେ କୌଣସି ଅର୍ଥ ରାଶି ବ୍ୟୟବରାଦ ନ ଥିଲା ବେଳେ ୨୦୧୮-୧୯ରେ ଏଥିରେ ୫୫୦ କୋଟି ଟଙ୍କା ରଖାଯାଇଛି। ସେହିପରି ଏସ୍‌ଏଚ୍‌ଜିଙ୍କୁ ଆର୍ଥିକ ସହାୟତା ଯୋଜନାରେ ୨୦୧୬-୧୭ ଓ ୨୦୧୭-୧୮ରେ କୌଣସି ଅର୍ଥରାଶି ବ୍ୟୟବରାଦ ନ ଥିଲା ବେଳେ ୨୦୧୮-୧୯ରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରୁ ସ୍ପଷ୍ଟ ହେଉଛି ଯେ କେବଳ ନିର୍ବାଚନକୁ ଆଖି ଆଗରେ ନିର୍ବାଚନ ବର୍ଷରେ ଏପରି ବ୍ୟୟ କରାଯାଉଛି।

ଶ୍ରୀମତୀ ଷଡ଼ଙ୍ଗୀ ଆହୁରି ଅଭିଯୋଗ କରିଛନ୍ତି, ଓଡ଼ିଶାରେ ଏବେ ସୁଦ୍ଧା ମିଳିଥିବା ଆର୍ଥିକ ସହାୟତା ଅନ୍ୟ ରାଜ୍ୟ ଠାରୁ କମ୍। ଆନ୍ଧ୍ରପ୍ରଦେଶରେ ପ୍ରତି ଏସ୍‌ଏଚ୍‌ଜିକୁ ୬୨ ହଜାର ଟଙ୍କା ମିଳିଥିଲା ବେଳେ ଓଡ଼ିଶାରେ ଏହା ମାତ୍ର ୧୪୫୪୧ ଟଙ୍କା। ସେହିପରି ଓଡ଼ିଶାରେ ୬ ଲକ୍ଷ ଏସ୍‌ଏଚ୍‌ଜି ଥିଲା ବେଳେ ଏବେ ମାତ୍ର ୭୨ ହଜାର ଏସ୍‌ଏଚ୍‌ଜିକୁ ଋଣ ମିଳିଛି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ଉପସ୍ଥିତ ଥିଲେ।

ବିଜେପିର ଏପରି ଅଭିଯୋଗର ଜବାବ ଦେଇ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭା‌େନତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ବଦ୍‌ନାମ କରିବା ପାଇଁ ବିଜେପିର ଏହା ଏକ ଷଡ଼ଯନ୍ତ୍ର। ମିସନ୍ ଶକ୍ତି ମାଧ୍ୟମରେ ଯେଉଁ ମହିଳା ସଶକ୍ତିକରଣ କରାଯାଇ ଓଡ଼ିଶାର ବିକାଶ ହେଉଛି, ତାହା ପ୍ରତି ଏହା କୁଠାରଘାତ। ଏସ୍ଏଚ୍‌ଜିଗୁଡ଼ିକ ପାଉଥିବା ଆର୍ଥିକ ସହାୟତାକୁ ବନ୍ଦ କରିବା ହିଁ ବିଜେପିର ଉଦ୍ଦେଶ୍ୟ। ଏମିତି ରାଜନୈତିକ ହୀନମନ୍ୟତାରୁ ବିଜେପି ନିବୃତ ରହୁ। ବିଜେପିର ଏପରି ଆଭିମୁଖ୍ୟ ଜବାବ ରାଜ୍ୟର ଏସ୍‌ଏଚ୍‌ଜିମାନେ ଦେବେ ବୋଲି ସେ କହିଛନ୍ତି।