ଶଙ୍କରାଚାର୍ଯ୍ୟଙ୍କ ଶିକ୍ଷା ଓ ଜାତିକୁ ନେଇ ପ୍ରମାଣ ମାଗିବା ପ୍ରସଙ୍ଗ : ନରସିଂହ କ୍ଷମା ମାଗନ୍ତୁ – ବିଜେପି

ଭୁବନେଶ୍ବର : ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସାଙ୍ଗିଆକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇବା ନିନ୍ଦନୀୟ। ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ଶିକ୍ଷା ଓ ଜାତିକୁ ନେଇ ପ୍ରମାଣ ମାଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ ଯେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପୁରୀ ମଠାଧୀଶ ବୋଲି ବିଚାରାଳୟରେ ପୂର୍ବରୁ ପ୍ରମାଣିତ ହୋଇସାରିଛି। ତାଙ୍କ ସ୍ବୀକୃତିକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠାଇ ନରସିଂହ ବାବୁ ଜାଣିଶୁଣି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ କରିଛନ୍ତି। ବୈ‌ଦିକ ଗଣିତ ଉପରେ ୫୦ରୁ ଅଧିକ ପୁସ୍ତକ ରଚନା କରିବା ସହ ବେଦ ସହିତ ଗଣିତକୁ ଯୋଡ଼ିବା ପରି ବିରଳ ବିଦ୍ୟାର ଅଧିକାରୀ ହେଉଛନ୍ତି ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ। ତାଙ୍କର ଶିକ୍ଷା ଓ ଜାତିକୁ ନେଇ ପ୍ରଶ୍ନ କରି ନରସିଂହ ବାବୁ ଜାଣିଶୁଣି ଜଗନ୍ନାଥ ସଂସ୍କୃତିକୁ ନିଚା ଦେଖାଇଛନ୍ତି ଓ ସାଢ଼େ ଚାରି କୋଟି ଓଡ଼ିଆ ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ଆଘାତ ଦେଇଛନ୍ତି। ସେ ପୂର୍ବରୁ ଆଇନ ମନ୍ତ୍ରୀ ଥିଲା ବେଳେ ଜଗଦଗୁରୁଙ୍କ ପ୍ରତି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତେଣୁ ନରସିଂହ ବାବୁ ଅବିଳମ୍ବେ ଏପରି ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର