ରାଜ୍ୟର ତିନି ପଛୁଆ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା‌ ଲୋକ ଦେଖାଣିଆ : ବିଜେପି

ତିନି ଜିଲ୍ଲାରେ ୨୫୦ରୁ ଅଧିକ ଡାକ୍ତର ପଦବି ଖାଲି, ବିନା ଡାକ୍ତରରେ କି ରୋଗୀ ସେବା କରିବେ ସରକାର

ଭୁବନେଶ୍ବର : ମୋ ସରକାର ଯୋଜନା ପରିପ୍ରେକ୍ଷୀରେ ରାଜ୍ୟର ତିନି ପଛୁଆ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମାଲୋଚନା କରିଛି ବିଜେପି। ଏହି ଘୋଷଣା ସ୍ଥାନୀୟ ସମସ୍ୟାର ସମାଧାନରେ ସହାୟକ ହେବ ନାହିଁ, ବରଂ କେବଳ ଲୋକଦେଖାଣିଆ ପଦକ୍ଷେପ ବୋଲି ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ, ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଏକ ମିଳିତ ପ୍ରେସ୍ ବିବୃତିରେ କହିଛନ୍ତି।

ବିଜେପିର ଏହି ତିନି ନେତା କହିଛନ୍ତି, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଗତ ବିଧାନସଭାରେ କୋରାପୁଟ ଜିଲ୍ଲାରେ ୧୧୨, ନବରଙ୍ଗପୁରରେ ୯୯ ଓ ମାଲକାନଗିରିରେ ୬୪ ଡାକ୍ତର ପଦବି ଖାଲି ଅଛି ବୋଲି ତଥ୍ୟ ଦେଇଥିଲେ। ବିନା ଡାକ୍ତରରେ ନବୀନ ବାବୁ କି ରୋଗୀ ସେବା କରିବେ ? କୋରାପୁଟ ମେଡିକାଲ କଲେଜରେ ଥିବା ୧୫ଟି ଆଇସିୟୁ ବେଡ୍‌ ମଧ୍ୟରୁ ଭେଷଜ, ଶଲ୍ୟ ଓ ଶିଶୁରୋଗ ବିଭାଗକୁ ମାତ୍ର ୫ଟି ‌‌େଲଖା ଦିଆଯିବା ସମୁଦ୍ରକୁ ଶଙ୍ଖେ। ଏହି ମେଡିକାଲ୍‌ କଲେଜରେ ଭେଷଜ ବିଭାଗର ପ୍ରଫେସର ଓ ଅ‌ାସି‌ଷ୍ଟାଣ୍ଟ୍‌ ପ୍ରଫେସର ପଦବି ଖାଲି ଅଛି। ଏଠାରେ କାଜୁଆଲିଟି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନାହିଁ। ୩୦ଟି ଫାର୍ମାସିଷ୍ଟ ପଦବି ମଧ୍ୟରୁ ମାତ୍ର ୪ଟି ପୂରଣ ହୋଇଛି। ଏଥିରେ କି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ବିଜେପି ପ୍ରଶ୍ନ କରିଛି।

ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା‌େର ଗର୍ଭବତୀ ମା’ ଓ ନବଜାତକ ମୃତ୍ୟୁ ହାର ଉଦ୍‌ବେଗଜନକ ରହିଛି। ୨୦ ବର୍ଷରେ ଏହି ଜିଲ୍ଲାର ସ୍ବାସ୍ଥ୍ୟସେବା କାହିଁକି ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ସରକାର ତାହାର ଉତ୍ତର ଦିଅନ୍ତୁ। ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ବର ସମୟରେ ଉପାନ୍ତ ଅଞ୍ଚଳମାନଙ୍କରେ ଡାକ୍ତର ନ ଥିଲେ। ଏବେ ବି ପରିସ୍ଥିତିରେ ଉନ୍ନତି ଆସି ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ପ୍ରତୀକାତ୍ମକ ଭେଳିକି ନ ଦେଖାଇ ଜିଲ୍ଲାବାସୀଙ୍କ ପାଇଁ ‌ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଠୋସ୍ ପଦକ୍ଷେପ ନେବାକୁ ବିଜେପିର ତିନି ନେତା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର