ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଷଡ଼ଯନ୍ତ୍ର ଅଭିଯୋଗ କଲା ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ୨୦୨୨ ସୁଦ୍ଧା ପକ୍କା ଘର ଯୋଗାଇଦେବା ପ୍ରଧାନମନ୍ତ୍ରୀଙ୍କର ଏକ ବହୁ ଆକାଂକ୍ଷିତ ଯୋଜନା। ଉଜ୍ଜଳା ଭଳି ଏହା ମଧ୍ୟ ଦେଶର ଗରିବ ଲୋକଙ୍କର ଜୀବନ ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଆଣିବାର ସୁଯୋଗ ସୃଷ୍ଟି କରିବ। ସମଗ୍ର ଦେଶରେ ଏହା ସୁରୁଖୁରୁରେ ପ୍ରଣୟନ ହେଉଥିବା ବେଳେ ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଏହି ଯୋଜନା ପଛକୁ ଠେଲି ହୋଇଯାଇଛି ବୋଲି ବିଜେପି ଅଭିଯୋଗ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ ବିଗତ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବହୁବାର ଦଳ ତରଫରୁ ଅଭିଯୋଗ କରାଯାଇଥିଲା । ଶାସକ ଦଳ କର୍ମୀମାନେ ପ୍ରତି ହିତାଧିକାରୀଙ୍କ ଠାରୁ ୧୦ରୁ ୨୫ ହଜାର ଟଙ୍କାର ଲାଞ୍ଚ ଆଦାୟ କରି ସେମାନଙ୍କୁ ତାଲିକାଭୁକ୍ତ କରିବାର ଉଦାହରଣ ରହିଛି। ମାହାଙ୍ଗା ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍ ପଡ଼ିବା ଓ ଶାସକ ଦଳର ସମର୍ଥକ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବାର ଜ୍ୱଳନ୍ତ ଉଦାହରଣ ମଧ୍ୟ ପୂର୍ବରୁ ବିଜେପି ଦେଇଛି। ଫଳରେ ବାଧ୍ୟ ହୋଇ ରାଜ୍ୟ ସରକାର ତିନି ଥର ସର୍ଭେ କରାଇଥିଲେ ଏବଂ ଶେଷରେ ବ୍ଲକଗୁଡ଼ିକରେ ଯୋଗ୍ୟ ହିତାଧିକାରୀଙ୍କର ଦରଖାସ୍ତ ଆହ୍ୱାନ କରି ଆବେଦନ ବାକ୍ସ ବସାଇଥିଲେ । ଗରିବ ଲୋକ ୧୦/୧୫ କିମି ଦୂରରୁ ଖର୍ଚ୍ଚାନ୍ତ ହୋଇ ଆସି ଘରଟିଏ ପାଇବା ଆଶାରେ ଆବେଦନପତ୍ର ପକାଇଥିଲେ। କିନ୍ତୁ ସରକାର ଗତ ୭/୮ ମାସ ଧରି ଏହାକୁ ଶୀତଳ ଭଣ୍ଡାରରେ ପକାଇ ରଖିଥିଲେ। ଗତକାଲି ଦୁର୍ଭାଗ୍ୟବଶତଃ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକରେ କିଛି ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ବିଜେପି ଜିଲ୍ଲା ପରିଷଦ ସଦସ୍ୟଙ୍କ ନଜରରେ ଆସିଲା ଯେ ଅନେକ ଗୁଡ଼ିଏ ପିଏମ୍‌ଏୱାଇ ଆବେଦନ ପତ୍ର ବ୍ଲକ ଅଫିସ୍‌ ପଛପଟ ପଡ଼ିଆରେ ଫିଙ୍ଗା ହୋଇଛି। ଏପରିକି କିଛି ଆବେଦନପତ୍ରରେ ଅଗ୍ନି ସଂଯୋଗ ମଧ୍ୟ କରାଯାଇଛି। ଏ ବାବଦରେ ସେମାନେ ବ୍ଲକ୍‌ର ଅଧୀକୃତ ଅଧିକାରୀମାନଙ୍କୁ ପ୍ରଶ୍ନ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ। କିଛି ସ୍ୱେଚ୍ଛାସେବୀ ଏହି ଦୁର୍ଭାଗ୍ୟଜନକ ଘଟଣା ବିରୋଧରେ ଥାନାରେ ଏତଲା ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଏଭଳି ଘଟଣା କେବଳ ଚିଲିକା ବ୍ଲକରେ ହୋଇନାହିଁ ବରଂ ଓଡ଼ିଶାର ସବୁ ବ୍ଲକ୍‌ ଓ ପୌରପାଳିକାରେ ମଧ୍ୟ ହେଉଛି। ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ସଂପୂର୍ଣ୍ଣ ନୈତିକତା ଦେଖାନ୍ତୁ। ନଚେତ ଏକ ରାଜନୈତିକ ଲଢ଼େର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର