ଭୁବନେଶ୍ବର : ୧୪ଟି ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାରେ ୫ ଲକ୍ଷ ପକ୍କା ଘର ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ସମାଲୋଚନା କରିଛି ବିଜେପି। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ନିର୍ବାଚନ ବେଳେ ବିଜେଡି ପକ୍ଷରୁ କୁହାଯାଇଥିଲା ଯେ ରାଜ୍ୟରେ ୧୫ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି। ନିର୍ବାଚନ ପୂର୍ବରୁ ବଡ଼ ବଡ଼ ବିଜ୍ଞାପନ ଦେଇ ରାଜ୍ୟ ସରକାର ବହୁତ ପକ୍କା ଘଣ ନିର୍ମାଣ ନେଇ ଡିଣ୍ଡିମ ପିଟିଥିଲେ। କିନ୍ତୁ ଫନି ବାତ୍ୟା ରାଜ୍ୟ ସରକାରଙ୍କ ଏହି ଡାହା ମିଛ ଉପରୁ ପରଦା ହଟାଇଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଲେ, ବାତ୍ୟା ପରେ ଆମେ ପୁରୀର ଯେଉଁ ଅଞ୍ଚଳ ବୁଲିଛୁ ସେଠାରେ ବିଜୁ ପକ୍କା ଘର ଦେଖିବାକୁ ପାଇ ନ ଥିଲୁ। ରାଜ୍ୟରେ ଗତ ପାଞ୍ଚ ବର୍ଷରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ଅର୍ଥ ଦେଇଥିଲେ ସେଥିରେ ପକ୍କା ଘର ନିର୍ମାଣ ପାଇଁ ଅର୍ଥ ଗରିବ ଲୋକମାନଙ୍କୁ ଦେଇଛନ୍ତି କି ନାହିଁ ତାହା ମଧ୍ୟ ଏବେ ସନ୍ଦେହରେ। ରାଜ୍ୟରେ ପକ୍କା ଘର ନିର୍ମାଣ ଯୋଜନାରେ ଏକ ବଡ଼ ଦୁର୍ନୀତିର ଗନ୍ଧ ବାହାରୁଛି। ରାଜ୍ୟ ସରକାର ଜୁନ୍ ୧ ତାରିଖ ସୁଦ୍ଧା ପକ୍କା ଘର କାହାକୁ କାହାକୁ ଦେବେ ତାହାର କାର୍ଯ୍ୟ ଆଦେଶ ତାଲିକାକୁ ସାଧାରଣରେ ପ୍ରକାଶ କରନ୍ତୁ। ଯାହା ପାଖରେ ଜମି ପଟ୍ଟା ନାହିଁ, ତାଙ୍କୁ ଘର କିପରି ଦେବେ ତାହାର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀ ଦିଅନ୍ତୁ। ନବୀନ ବାବୁ ଏବେ ସୁଦ୍ଧା ଗୋଟିଏ ଗାଁ କିମ୍ବା ବସ୍ତିକୁ ଯାଇ ନାହାନ୍ତି। କେବଳ ଅଫିସର୍ଙ୍କ ରିପୋର୍ଟ ଆଧାରରେ ମିଥ୍ୟା ପ୍ରଚାର ଚଳାଇଛନ୍ତି।
ଭୁବନେଶ୍ବରରେ ବିଜୁଳି ସଂଯୋଗ ନେଇ ରାଜ୍ୟ ସରକାର ମିଛ କହୁଛନ୍ତି ବୋଲି ଦର୍ଶାଇ ଶ୍ରୀ ସିଂହଦେଓ କହିଲେ, ଆଜି ବି ରାଜଧାନୀର ବହୁ ଅଞ୍ଚଳରେ ବିଜୁଳି ପହଞ୍ଚି ନାହିଁ। କେବଳ ସରକାରୀ ଅଫିସର୍ ଓ ମନ୍ତ୍ରୀମାନେ ରହୁଥିବା ଅଞ୍ଚଳରେ ବିଜୁଳି ପହଞ୍ଚିଛି। ଏପରିକି ଏନ୍ଡିଆର୍ଏଫ୍ ଟିମ୍କୁ ପ୍ରଥମେ ସରକାରୀ ଅଫିସର୍ମାନେ ରହୁଥିବା ବାସଭବନ ଆଗରୁ ଗଛ ହଟାଇବା ଓ ବିଜୁଳି ବ୍ୟବସ୍ଥା ସଜାଡ଼ିବାକୁ ଆଦେଶ ଦିଆଯାଇଥିଲା। ଶକ୍ତି ସଚିବ ତାଙ୍କ ବକ୍ତବ୍ୟକୁ ବାରମ୍ବାର ବଦଳାଉଛନ୍ତି। ରାଜ୍ୟ ସରକାର ତୁରନ୍ତ ବୟାନବାଜି ଛାଡ଼ି ରାଜଧାନୀ ସହ ଅନ୍ୟାନ୍ୟ ଅଞ୍ଚଳରେ ବିଜୁଳି ବ୍ୟବସ୍ଥା ସଜାଡ଼ିବାକୁ ଶ୍ରୀ ସିଂହଦେଓ ଦାବି କରିଛନ୍ତି।
ବିଜେପି ବିଧାୟକ ଦଳ ନେତା ଆହୁରି କହିଛନ୍ତି, ରାଜ୍ୟ ସରକାର ବାତ୍ୟା ପୂର୍ବରୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା କଥା କହୁଛନ୍ତି। ଯଦି ଏହା ସତ୍ୟ, ତେବେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କଲେ କିପରି ? ବିଜେପି ପ୍ରତିନିଧି ଦଳ ଯେଉଁସବୁ ସ୍ଥାନକୁ ପରିସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲେ, ସେଠାରେ ସରକାରୀ ସ୍ତରରେ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯାଇ ନ ଥିବା କଥା ସାମ୍ନାକୁ ଆସିଥିଲା। ଲୋକମାନେ ନିଜ ଖର୍ଚ୍ଚରେ ସ୍ତାନାନ୍ତରଣ ହୋଇଥିଲେ। ସେହି ସବୁ ସ୍ଥାନରେ ଖାଇବା ବ୍ୟବସ୍ଥା ୭ ଦିନ ଯାଏ ପହଞ୍ଚି ନ ଥିଲା। ଯଦି ପୂର୍ବରୁ ରାଜ୍ୟ ସରକାର ଏତେ ପ୍ରସ୍ତୁତ ଥିଲେ, ତେବେ କାହିଁକି ସେହି ପଞ୍ଚାୟତଗୁଡ଼ିକରେ ଶୁଖିଲା ଖାଦ୍ୟ ମହଜୁଦ୍ ରଖିଲେ ନାହିଁ ବୋଲି ଶ୍ରୀ ସିଂହଦେଓ ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗୋଲକ ମହାପାତ୍ର ଓ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।