ପଞ୍ଚାୟତ ସମସ୍ୟା ଥୋଇ ଗର୍ଜିଲା ବିଜେପି

ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି, ସୁଫଳ ପାଉନାହାନ୍ତି ଲୋକେ: ସମୀର
ମୋଦୀ ଦେଉଛନ୍ତି ଅର୍ଥ; ଖର୍ଚ୍ଚ ହେଉନି, ଫେରୁଛି

ଭୁବନେଶ୍ବର : ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସକୁ ବହୁ ଆଡମ୍ବର ଭାବେ ପାଳନ କରିଛନ୍ତି। କିନ୍ତୁ ଏକଥା ସତ ଯେ ପଞ୍ଚାୟତ ଓ ବ୍ଲକରେ କର୍ମଚାରୀଙ୍କର ଘୋର ଅଭାବ ରହିଛି। ପଞ୍ଚାୟତିରାଜ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲାଣି। ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏଭଳି ଅଭିଯୋଗ କରିବା ସହିତ ଗାଁ ବିକାଶ ପଛରେ ରାଜ୍ୟ ସରକାର ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ ଅଧିକ ବୋଲି ଦାବି କରିଛନ୍ତି।

ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମହାନ୍ତି କହିଛନ୍ତି, ୟୁପିଏ ସରକାରଙ୍କ ଅମଳରେ ୨୦୧୪ ମସିହା ପୂର୍ବରୁ ତ୍ରୟୋଦଶ ଅର୍ଥ କମିଶନ ସୁପାରିସ ଆଧାରରେ ପ୍ରତିଟି ପଞ୍ଚାୟତର ବିକାଶ ପାଇଁ ଫି ବର୍ଷ ୧ରୁ ୫ ଲକ୍ଷ ଟଙ୍କା ମିଳୁଥିଲା। ମାତ୍ର ମୋଦୀ ସରକାର ୨୦୧୫ ମସିହାଠାରୁ ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ପ୍ରତି ପଞ୍ଚାୟତକୁ ପ୍ରତି ବର୍ଷ ସର୍ବନିମ୍ନ ୪୦ଲକ୍ଷ ଟଙ୍କାରୁ ସର୍ବାଧିକ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥରେ ପଞ୍ଚାୟତରେ ଉଜ୍ଜଳ ଆଲୋକ, ପରିମଳ ବ୍ୟବସ୍ଥା, ମାର୍କେଟ କଂପ୍ଲେକ୍ସ ଆଦି ନିର୍ମାଣ କରାଯାଇଛି।

ଶ୍ରୀ ମହାନ୍ତି କହିଛନ୍ତି, ପଞ୍ଚାୟତର ବିକାଶ ପାଇଁ ମୋଦୀ ସରକାର ପ୍ରଚୁର ପରିମାଣରେ ଅର୍ଥ ପଠାଉଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ଅର୍ଥ ବିନିଯୋଗ ହୋଇନପାରି କେନ୍ଦ୍ରକୁ ପୁଣି ଫେରିଯାଉଛି। ଗତ ୬ ବର୍ଷରେ ରାଜ୍ୟର ଗ୍ରାମାଞ୍ଚଳରେ ଯାହା କିଛି ବିକାଶ ହୋଇଛି, ତାହା କେବଳ ମୋଦୀ ସରକାରଙ୍କ ଅର୍ଥରେ ହୋଇଛି।

ଅନ୍ୟ ପଟରେ ରାଜ୍ୟର ଅର୍ଦ୍ଧାଧିକ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ପଦବି ଖାଲି ପଡିଛି। ବ୍ଲକରେ ଜେଇ ଆଦି କର୍ମଚାରୀ ପଦବି ଖାଲି ପଡିଛି। ତେଣୁ ଯେଉଁ କାମ ହେଉଛି, ତାହା ମଧ୍ୟ ଅତି ନିମ୍ନମାନର। “ସଉଦା ଅଛି, ମାତ୍ର ରୋଷେଇଆ ନାହିଁ” ବୋଲି କହି ତାତ୍ସଲ୍ୟ କରିଥିଲେ ଶ୍ରୀ ମହାନ୍ତି।

ବିଜେପି କହିଛି, ରାଜ୍ୟର ୫୦ରୁ ଉର୍ଦ୍ଧ୍ୱ ବିଧାନସଭା କ୍ଷେତ୍ରର ବିଭିନ୍ନ ଗ୍ରାମ ଗସ୍ତ କରି ବିକାଶର ବାସ୍ତବ ଚିତ୍ର ଦେଖିଲା ପରେ ଗ୍ରାମାଞ୍ଚଳର ବିକାଶରେ ରାଜ୍ୟ ସରକାର ବାଧକ ସାଜିଥିବା ସ୍ପଷ୍ଟ ଜଣାପଡିଛି। ବାସ୍ତବରେ କହିବାକୁ ଗଲେ ରାଜ୍ୟବାସୀ ପଞ୍ଚାୟତ ବ୍ୟବସ୍ଥାର ବହୁ ଦୂରରେ ଅଛନ୍ତି। ଆଦିବାସୀ ଅଧ୍ୟୁଷିତ ରାଜ୍ୟର ଜନଜାତିଙ୍କୁ ଆର୍ଥିକ ସ୍ୱଚ୍ଛଳତା ପାଇଁ ଅମୋଘ ଅସ୍ତ୍ର ଭାବେ ‘ପ୍ରଧାନମନ୍ତ୍ରୀ ବନଧନ ଯୋଜନା’ କାର୍ଯ୍ୟକାରୀ କରାଯାଇଛି। ‘ଆତ୍ମନିର୍ଭରଶୀଳ ଭାରତ ଗଠନ’, ‘ପ୍ରଧାନମନ୍ତ୍ରୀ ବନଧନ ଯୋଜନା’ ଓ ‘ଭୋକାଲ ଫର ଲୋକାଲ’ ଦ୍ୱାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରମୁଖ ଉତ୍ପାଦ ଭାବେ ପରିଗଣିତ ବିଶ୍ୱବିଖ୍ୟାତ ହଳଦୀ, ଝୁଣା, ମହୁ, ଶାଳମଞ୍ଜି, ଆମ୍ବ, ସପୁରୀ, କପା, ମହୁଲ ଆଦି ବନଜାତ ଦ୍ରବ୍ୟ ଅନ୍ତର୍ଜାତୀୟ ସ୍ତରରେ ଅତି ସହଜରେ ଉପଲବ୍ଧ ହେବା ସହ ସେମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ବିଶେଷ ସହାୟକ ହୋଇପାରିବ। ଏହି ସମସ୍ତ ଲଘୁଜାତ ବନ୍ୟଜାତ ଦ୍ରବ୍ୟର ସଂଗ୍ରହ, ପ୍ରୋସେସିଂ, ମାର୍କେଟିଂ ଆଦି ପାଇଁ କେନ୍ଦ୍ର ସରକାର ପ୍ରଚୁର ମାତ୍ରାରେ ଅର୍ଥ ପ୍ରଦାନ କରୁଛନ୍ତି । ମାତ୍ର ରାଜ୍ୟ ସରକାର ଓ ପ୍ରଶାସନର ଆନ୍ତରିକତାର ଅଭାବ କାରଣରୁ ଏସବୁରେ ବିଫଳ ସ୍ଥିତି ଉପୁଜିଛି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର