ନଭେମ୍ବର ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଓଡ଼ିଶା ବିଜେପି ପ୍ରଭାରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରେ ବରଗଡ ଗସ୍ତରେ ଯିବେ । ସେଠାରେ ସେ ବିଜୁ ସ୍ୱାସ୍ଥ୍ୟ  କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହା ପୂର୍ବରୁ କିନ୍ତୁ ଏହି ଗସ୍ତକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବରଗଡ଼ ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ସେ କହିଛନ୍ତି, ଓଡିଶା ସରକାର ନାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ମାମଲାରେ ଜଡ଼ିତ ଥିବା ଜଣେ ମନ୍ତ୍ରୀଙ୍କୁ କିଭଳି ସୁରକ୍ଷା ଦିଆଯାଉଛି ଓ ସରକାରୀ କାର୍ଯ୍ୟକ୍ରମରେ କିଭଳି ସାମିଲ କରାଯାଉଛି , ସେ ନେଇ ପୁରନ୍ଦେଶ୍ୱରୀ ପ୍ରଶ୍ନ ଉଠାଇଛନ୍ତି । ଖାଲି ସେତିକି ନୁହେଁ, ସେପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ ।

ମମିତା ମେହେର ହତ୍ୟା ମାମଲାରେ ଜୋର ଧରିଛି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଇସ୍ତଫା ଦାବି । ବିରୋଧୀ ଇସ୍ତଫା ଓ ବହିଷ୍କାର ଦାବିରେ ଅଡ଼ି ବସିଛନ୍ତି । ଏହି କ୍ରମରେ ଆଜି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡି ଉପରକୁ ଅଣ୍ଡାମାଡ଼ କରାଯାଇଛି । ମନ୍ତ୍ରୀ ହେଲ୍‌ଥ କାର୍ଡ ବାଣ୍ଟିିବାକୁ ଥୁଆମୁଳ ରାମପୁର ଡୁମେରପଦରକୁ ଯାଇଥିବା ବେଳେ ବିରୋଧ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଥିଲେ । ଏହା ସହ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା । ସେହିପରି ବାରିପଦାରେ ମଧ୍ୟ ମମିତା ମେହେର ହତ୍ୟା ମାମଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀଙ୍କ ଇସ୍ତଫା ଓ ବହିଷ୍କାର ଦାବିରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଜେପି କର୍ମୀ ଶୋଭାଯାତ୍ରା କରି ଥାନା ଘେରାଉ କରିଥିଲେ । ବିଜେପି କର୍ମୀ ବ୍ୟାରିକେଡ୍ ଭାଙ୍ଗି ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା ।

ସମ୍ବନ୍ଧିତ ଖବର