ସିଏଜି ରିପୋର୍ଟ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌

ଭୁବନେଶ୍ବର : ୨୦୧୭-୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟକୁ ଭିତ୍ତି କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଦଳର ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟ ସରକାରଙ୍କ ଅର୍ଥନୀତି ଦିଗହରା ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଅନୁଦାନକୁ ବାଟମାରଣା କରାଯାଉଛି। ରାଜ୍ୟ ସରକାର ବିଧାନସଭାରେ ଲକ୍ଷେ କୋଟି ଟଙ୍କାରୁ ଅଧିକ ବଜେଟ୍‌ ପାସ୍ କରୁଛନ୍ତି। କିନ୍ତୁ ସେଥିରୁ ୨୧,୨୦୬ କୋଟି ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି। ରାଜ୍ୟ ସରକାରଙ୍କ କ୍ୟାସ୍ ବାଲାନ୍ସ ରିଜର୍ଭ ବ୍ୟାଙ୍କ ସହିତ ୩୦,୮୪୮ କୋଟି ଟଙ୍କା ଥିଲା ବେଳେ ରାଜ୍ୟ ସରକାର ମାର୍କେଟରୁ ୬ରୁ ୮ ପ୍ରତିଶତ ସୁଧ ଦେଇ ୧୨,୧୩୦ କୋଟି ଟଙ୍କା ଉଠାଇଛନ୍ତି। ଏହି ୬ରୁ ୮ ପ୍ରତିଶତ ସୁଧ କାହା ସ୍ବାର୍ଥରେ କାହା ପକେଟ୍‌କୁ ଯାଇଛି ? ରାଜ୍ୟ ସରକାର ଗତ ୫ ବର୍ଷ ହେଲା ଜମାକାରୀଙ୍କୁ ପଇସା ଫେରାଇ ଦେବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ୩୦୦ କୋଟି ଟଙ୍କା କର୍ପସ୍‌ ଫଣ୍ଡରୁ ଟଙ୍କାଟିଏ ବି କେଉଁ ଜମାକାରୀଙ୍କୁ ମିଳିଲା ନାହିଁ। ସରକାର ଜମାକାରୀଙ୍କୁ ପ୍ରତାରଣା କରିଚାଲିଛନ୍ତି। ଏହି ସମସ୍ତ ପ୍ରସଙ୍ଗ ବିରୋଧୀ ବିଧାନସଭାରେ ଉଠାଇବାର ଆଶଙ୍କା ଥିବାରୁ ଜାଣିଶୁଣି ଅଧିବେଶନକୁ ଆଗୁଆ ବନ୍ଦ କରିଦେଲେ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ସମ୍ବନ୍ଧିତ ଖବର