ବିଜେପୁରରେ ବିଜେଡି ରକ୍ତମୁଖା ସାଜିଛି: ବିଜେପି

ସିଇଓଙ୍କୁ ଫେରାଦ ଦେଲା ଦଳ

ଭୁବ‌େନଶ୍ବର : ବିଜେପୁର ଉପନିର୍ବାଚନରେ ବିଜେଡି ରକ୍ତମୁଖା ସାଜି ଗୁଣ୍ଡାରାଜ ଚଳାଇଛି ବୋଲି ବିଜେପି ଅଭି‌ଯୋଗ ଆଣିଛି। ଏ ନେଇ ଦଳର ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ‌ଦେଇଛି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ବିଜେପୁର ଉପନିର୍ବାଚନ ପୂର୍ବରୁ ଶାସକ ବିଜେଡି ବିରୋଧୀଙ୍କୁ ଆକ୍ରମଣ କରି ଆତଙ୍କ ସୃଷ୍ଟି କଲାଣି। ଗତକାଲି ବିଜେପି ଯୁବ ନେତା ମନୋରଞ୍ଜନ ମେହେରଙ୍କୁ ଭୁଜାଲି ମାଡ଼ କରି ମରଣାନ୍ତକ ଆକ୍ରମଣ କରାଯାଇଛି। ୨୦୧୮ ଉପନିର୍ବାଚନ ସମୟରେ ତାଙ୍କୁ ଗୁଳିମାଡ଼ କରାଯାଇଥିଲା। ଶାସକ ବିଜେଡି ଭୟ ଦେଖାଇ ନିର୍ବାଚନ ଜିତିବା ପାଇଁ ଅପଚେଷ୍ଟା କରୁଛି। ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଇଙ୍ଗିତରେ ବିରୋଧୀଙ୍କୁ ଆକ୍ରମଣ କରାଯାଇଛି। ବିଜେପୁରରେ ଭୟର ବାତାବରଣ ସୃଷ୍ଟି କରିଥିବା ଅପରାଧୀଙ୍କ ଉପରେ କଡ଼ା ନଜର ରଖିବା ସହ ଏହି ଉପନିର୍ବାଚନକୁ ମୁକ୍ତ ଅବାଧ ଓ ନିରପେକ୍ଷ କରାଯାଉ ବୋଲି ବିଜେପି ଦାବି କରିଛି। ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧିଦଳରେ କାଳନ୍ଦୀ ସାମଲ, ସତ୍ୟ ପଣ୍ଡା, ହିତେଶ ମହାପାତ୍ର ଓ ଠାକୁର ରଞ୍ଜିତ ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର