ବରଗଡ଼ରେ ସିଟି ହସ୍ପିଟାଲ୍‌ ପ୍ରସଙ୍ଗ : ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧି

ଭୁବନେଶ୍ବର : ବରଗଡ଼ରେ ସିଟି ହସ୍ପିଟାଲ୍‌ ଦାବିରେ ଆଜି ବିଜେପି ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ପ୍ରତିନିଧି ଦଳର ନେତୃତ୍ବ ନେଇଥିବା ସାଂସଦ ସୁରେଶ ପୂଜାରୀ କହିଥିଲେ, ବରଗଡ଼ରେ ମୁଖ୍ୟମନ୍ତ୍ରୀ ନୂଆ ଜିଲ୍ଲା ଚିକିତ୍ସାଳୟ ଗୃହର ଉଦ୍‌ଘାଟନ କରିଥିଲେ। ଜିଲ୍ଲା ଚିକିତ୍ସାଳୟ ପୌରାଞ୍ଚଳ ବାହାରେ କରାଯାଇଛି। ଏଠାକୁ ଯିବା ପାଇଁ ଗମନାଗମନ ବ୍ୟବସ୍ଥା ନାହିଁ। ଏଣୁ ଏଥି ପ୍ରତି ରାଜ୍ୟ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି। ପୁରୁଣା ଜିଲ୍ଲା ଚିକିତ୍ସାଳୟକୁ ୨୪ ଘଣ୍ଟିଆ ସେବା ଯୋଗାଉଥିବା ସିଟି ହସ୍ପିଟାଲ୍‌ ଭାବେ ମାନ୍ୟତା ଦିଆଯାଉ। ଏହା ଦ୍ବାରା ରୋଗୀମାନେ ଜରୁରିକାଳୀନ ପରିସ୍ଥିତିରେ ସିିଟି ହସ୍ପିଟାଲ ଯାଇ ଚିକିତ୍ସିତ ହୋଇପାରିବେ। ଏହା ସହ ରାଜ୍ୟ ସରକାର ଖାଲି ପଡ଼ିଥିବା ଡାକ୍ତର ପଦବି ଓ ଆବଶ୍ୟକ ଆନୁଷଙ୍ଗିକ ଯନ୍ତ୍ରପାତି ଯୋଗାଇ ଦିଅନ୍ତୁ। ଗତ ତିନି ଦିନ ଧରି ଏହି ପ୍ରସଙ୍ଗରେ ବରଗଡ଼ରେ ଜାରି ରହିଥିବା ଅଚଳାବସ୍ଥାକୁ ଦୂର କରିବା ପାଇଁ ରାଜ୍ୟପାଳ ହସ୍ତକ୍ଷେପ କରି ସମାଧାନ କରିବାକୁ ପ୍ରତିନିଧି ଦଳ ଅନୁରୋଧ କରିଥିଲେ।

ଗଣମାଧ୍ୟମକୁ ଶ୍ରୀ ପୂଜାରୀ ଆହୁରି କହିଥିଲେ, ବରଗଡ଼ରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛନ୍ତି। ପୂର୍ବରୁ ଏଥି ପ୍ରତି ଧ୍ୟାନ ଦେବା ପାଇଁ ସଂସଦରେ ବାରମ୍ବାର ଦାବି କରାଯାଇଛି। କର୍କଟ ରୋଗର କାରଣ ଓ ଏହାର ନିରାକରଣ କରିବାକୁ ଗବେଷଣା କେନ୍ଦ୍ରର ଆବଶ୍ୟକତା ରହିଛି। ବରଗଡ଼ରେ ଅତ୍ୟା‌ଧୁନିକ କର୍କଟ ହସ୍ପିଟାଲ ସହ ଗବେଷଣା କେନ୍ଦ୍ରର ପ୍ରତିଷ୍ଠା କରାଯାଉ। ମୁଖ୍ୟମନ୍ତ୍ରୀ ନିର୍ବାଚନ ପୂର୍ବରୁ କର୍କଟ ହସ୍ପିଟାଲ୍ କରିବା ପାଇଁ ଘୋଷଣା କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ନ ପାରିବା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର