ମାଲକାନଗିରି ଓ ବୀରମିତ୍ରପୁରରେ ଦୁଷ୍କର୍ମ ଘଟଣାରେ ପୁଲିସର ସଂପୃକ୍ତି : ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର : ରାଜ୍ୟରେ ମହିଳାମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ରକ୍ଷକ ଏଠି ଭକ୍ଷକ ସାଜିଛି। ଖୋଦ୍‌ ପୁଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି। ଗତ ମେ ୭ ତାରିଖ ଦିନ ମାଲକାନଗିରି ପୁଲିସ କ୍ୟାଣ୍ଟିନ୍‌ରେ ଜଣେ ଆଦିବାସୀ ମହିଳା ଚନ୍ଦ୍ରମାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା। ସେହିପରି ଗତ ୨୨ ତାରିଖରେ ବୀରମିତ୍ରପୁର ଥାନା ଅଧିକାରୀ ଜଣେ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କରି ପୀଡ଼ିତାର ଗର୍ଭପାତ କରାଇଛନ୍ତି। ଏହି ଦୁଇଟି ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ପୁଲିସ୍‌ ଡିଜିଙ୍କୁ ଭେଟିଥିଲେ। ଘଟଣାର ଠିକ୍ ତଦନ୍ତ କରି ଦୋଷୀ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ମାଲକାନଗିରିରେ ପୀଡ଼ିତାଙ୍କ ସ୍ୱାମୀ ବୁଦୁରା ଗଉଡ଼ଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ଅଚେତ ଅବସ୍ଥାରେ ଥିଲେ ଓ ତାଙ୍କ ଦେହରେ କ୍ଷତ ଚିହ୍ନ ରହିଥିଲା। ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ସେ ଥାନାରେ ଏତଲା ଦେବା ସହ ଗଣମାଧ୍ୟମ ଆଗରେ କହିଥିଲେ। ଏହି ଘଟଣାକୁ ଦେଢ଼ ମାସରୁ ଉର୍ଦ୍ଧ୍ୱ ବିତିଥିଲେ ମଧ୍ୟ ପୋଲିସ ଚୁପ୍‌ ରହିଛି। ଅନ୍ୟ ପଟେ ପୋଷ୍ଟମର୍ଟମ ରିପୋର୍ଟ ନ ଆସିବାରୁ ମନରେ ଆଶଙ୍କା ସୃଷ୍ଟି ହେଉଛି ଯେ ଯେହେତୁ ଘଟଣା ପୁଲିସ କ୍ୟାଣ୍ଟିନ୍‌ରେ ଘଟିଲା ଓ ପୁଲିସର ସଂପୃକ୍ତି ଥିବାରୁ ଏ ଘଟଣାକୁ ସରକାରୀ ସ୍ତରରେ ଚାପି ଦିଆଯାଉଛି। ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମାନବାଧିକାର କମିସନ୍‌ଙ୍କ ଆଗରେ ଏ ଘଟଣାକୁ ରଖିବା ପରେ ୧୦ ଦିନ ମଧ୍ୟରେ ପୋଷ୍ଟମର୍ଟମ ରିପୋର୍ଟକୁ ସାର୍ବଜନୀନ କରିବା ଓ ପୀଡ଼ିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ପାଇଁ କମିସନ୍‌ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବି ପୋଲିସ ଚୁପ୍ ରହିଛି। ସେହିପରି ବୀରମିତ୍ରପୁର ଘଟଣାରେ ଖୋଦ୍ ଥାନା ଅଧିକାରୀ ଥାନାର ଉପର ମହଲାରେ ଜଣେ ୧୩ ବର୍ଷିଆ ଆଦିବାସୀ ନାବାଳିକାକୁ ବନ୍ଧକ ରଖି ଯୌନ ଉତ୍ପୀଡ଼ନ କରିଆସୁଥିଲେ। ଥାନାବାବୁ ପୀଡ଼ିତା ନାବାଳିକାକୁ ଗର୍ଭବତୀ କରାଇବା ସହ ବେଆଇନ ଭାବେ ସରକାରୀ ଡାକ୍ତରଖାନାରେ ତାଙ୍କର ଗର୍ଭପାତ କରାଇଛନ୍ତି । ସିଡବ୍ଲୁସି ପୀଡ଼ିତାକୁ ନେଇ ମେଡିକାଲ୍‌ରେ ଚିକିତ୍ସା କରାଉଛି। ଏହି ଘଟଣାରେ ବି ପୁଲିସ ଅଧିକାରୀଙ୍କ ସଂପୃକ୍ତି ଥିବା ଯୋଗୁ ଘଟଣାର ତଦନ୍ତ ହେଉ ନାହିଁ ।

ଦୁଇଟି ଘଟଣା ଆଦିବାସୀ ମହିଳାଙ୍କ ସହ ହୋଇଥିବାରୁ ଏସ୍‌ସି ଏସ୍‌ଟି ଏଟ୍ରୋସିଟି ଆକ୍ଟ ଲଗାଇ ସେମାନଙ୍କୁ ଧରାଯାଉ। ଏହା ସହ ଏହି ଆକ୍ଟ ଅନୁଯାୟୀ ଦୁଇ ଜଣ ପୀଡ଼ିତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ। କେସ୍‌କୁ ରଫାଦଫା କରିବା ପାଇଁ ପୀଡ଼ିତାଙ୍କ ପରିବାରକୁ ପୁଲିସ୍‌ ଧମକ ଦେଉଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରତିନିଧି ଦଳ ଦାବି କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ଓ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର