ଏସ୍‌ଆର୍‌ସିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ : ‘ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି କାଗଜ କଲମରେ ସୀମିତ’

ଭୁବନେଶ୍ବର : ବାତ୍ୟା ଫନିର ପ୍ରଭାବ ନେଇ ପାଣିପାଗ ବିଭାଗ ପକ୍ଷରୁ ୭ ଦିନ ପୂର୍ବରୁ ସୂଚନା ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କେବଳ କାଗଜ, କଲମରେ ସୀମିତ ରହିଥିଲା। ଏକ ସପ୍ତାହ ପରେ ବି ବାତ୍ୟା ବିପନ୍ନଙ୍କ ପାଖରେ ଶୁଖିଲା ଖାଦ୍ୟ ପହଞ୍ଚିନି। ତାର୍ପୋଲିନ୍ କାଟିକି ଦିଆଯାଉଛି। ରନ୍ଧା ଖାଦ୍ୟ କେବଳ ଗୋଟିଏ ‌ଗାଁର ଲୋକଙ୍କୁ ଦିଆଯାଇଛି। ପୁରୀ ଜିଲ୍ଲାର ସମସ୍ତ କ୍ଷତିଗ୍ରସ୍ତଙ୍କ ପାଖରେ ଏ ପର୍ଯ୍ୟନ୍ତ ରିଲିଫ୍ ପହଞ୍ଚିନି ବୋଲି ବିଜେପି ଅଭିଯୋଗ କରିଛି। ବିଜେପିର ଏକ ପ୍ରତିନିଧି ଦଳ ଗତକାଲି ପୁରୀ ଜିଲ୍ଲାର ସତ୍ୟବାଦୀ ଓ କଣାସ ବ୍ଲକ୍‌ ପରିଦର୍ଶନ କରିବା ସମୟରେ ଲୋକମାନେ ଏହା ଜଣାଇଥିଲେ। ଆଜି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସ୍ବତନ୍ତ୍ର ରିଲିଫ୍ କମିସନ୍‌(ଏସ୍‌ଆର୍‌ସି)ଙ୍କୁ ଭେଟିଥିଲା। ତୁରନ୍ତ ବାତ୍ୟାବିପନ୍ନଙ୍କ ପାଖରେ ଶୁଖିଲା ଖାଦ୍ୟ, ପିଇବା ପାଣି, ରନ୍ଧା ଖାଦ୍ୟ, ତାର୍ପୋଲିନ୍, ମହମବତୀ ଆଦି ସାମଗ୍ରୀ ପହଞ୍ଚାଇବାକୁ ବିଜେପି ନେତାମାନେ ଦାବି କରିଥିଲେ।

ଶ୍ରୀ ସିଂହଦେଓ କହିଥିଲେ, ବାତ୍ୟା ପ୍ରଭାବିତମାନେ ଖୋଲା ଆକାଶ ତଳେ ପିଲାଛୁଆଙ୍କ ସହ ଜୀବନ ବିତାଉଛନ୍ତି। ଭାଙ୍ଗି ଯାଇଥିବା ଘରକୁ ସଜାଡ଼ିବା ପାଇଁ ପଲିଥିନ୍ ବି ନାହିଁ। ଏପରିକି ପାନୀୟ ଜଳ ପାଇଁ ସଂଗ୍ରାମ କରୁଚନ୍ତି। କିଛି ସ୍ଥାନରେ ଚୁଡ଼ା ୩୦୦ ଗ୍ରାମ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଏହା ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ବିଫଳତାକୁ ସ୍ପଷ୍ଟ କରିଛି। ଏସ୍‌ଆର୍‌ସିଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳରେ ସମୀର ମହାନ୍ତି, ରମାରଞ୍ଜନ ବଳିୟାରସିଂହ, ଲେଖାଶ୍ରୀ ସାମନ୍ତସିଂହାର, ଶାରଦା ଶତପଥୀ ଓ ମନସୁଖ ଲାଲ ସେଠିଆ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର