ମାଲକାନଗିରି ଓ ବୀରମିତ୍ରପୁର ଦୁଷ୍କର୍ମ ଘଟଣାରେ ପୁଲିସ୍‌ର ସଂପୃକ୍ତି ପ୍ରସଙ୍ଗ : ଜାତୀୟ ଏସ୍‌ଟି କମିସନ୍‌ରେ ଫେରାଦ ହେଲା ବିଜେପି

ଭୁବନେଶ୍ବର : ମାଲକାନଗିରି ପୁଲିସ୍‌ କ୍ୟାଣ୍ଟିନ୍‌ରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଏବଂ ବୀରମିତ୍ରପୁର ଥାନାରେ ଆଦିବାସୀ ନାବାଳିକାକୁ ଥାନା ଅଧିକାରୀଙ୍କ ଦୁଷ୍କର୍ମ ଘଟଣାରେ ଜାତୀୟ ଏସ୍‌ଟି କମିସନ୍‌ରେ ଫେରାଦ ହୋଇଛି ରାଜ୍ୟ ବିଜେପି। ଆଜି ବିଜେପିର ଏକ ପ୍ରତିନିଧି ଦଳ ଜାତୀୟ ଏସ୍‌ଟି କମିସନ୍‌ର ଭୁବନେଶ୍ବର କାର୍ଯ୍ୟାଳୟ‌କୁ ଯାଇ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏସ୍‌ସି ଏସ୍‌ଟି ଏଟ୍ରୋସିଟି ଆକ୍ଟ ଲଗାଇ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ ମାଲକାନଗିରି ପୁଲିସ କ୍ୟାଣ୍ଟିନ୍‌ରେ କାର୍ଯ୍ୟରତ ଥିବା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ଦୁଇ ମାସ ବିତିଥିଲେ ମଧ୍ୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଏଯାବତ ପରିବାର ଲୋକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇ ନାହିଁ। ପୋଷ୍ଟମର୍ଟମ୍ ରିପୋର୍ଟକୁ ସାବର୍ଜନୀନ କରି ପୀଡ଼ିତା ପରିବାରକୁ କ୍ଷତିପୂରଣ ଦେବା ପାଇଁ ମାନବାଧିକାର କମିସନ୍‌ ନିର୍ଦ୍ଦେଶ ଦେଇଥିଲେ ବି ପୁଲିସ୍‌ ଚୁପ ରହିଛି। ସେହିପରି ବୀରମିତ୍ରପୁର ଘଟଣାରେ ଖୋଦ୍‌ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଥାନାର ଉପର ମହଲାରେ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କଲେ। ଥାନାର ଆଉ ଜଣେ ପୁଲିସ୍‌ ଅଧିକାରୀ ଓ ତାଙ୍କର ୪ ବନ୍ଧୁ ମଧ୍ୟ ସେହି ନାବାଳିକା ସହ ଦୁଷ୍କର୍ମ କଲେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲେ ବି ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରି ନାହିଁ। ଦୁଇଟି ଯାକ ଅଭାବନୀୟ ଘଟଣାରେ ଆଦିବାସୀ ମହିଳା ଓ ନାବାଳିକା ପୀଡ଼ିତା ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଏସ୍‌ସି ଏସ୍‌ଟି ଆକ୍ଟ ଅନୁଯାୟୀ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କ ପରିବାରକୁ ୮.୨୫ ଲକ୍ଷ ଲେଖାଏ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ବିଜେପି ପ୍ରତିନିଧି ଦଳ ଦାବି କରିଥିଲେ। ବିଜେପି ପ୍ରତିନିଧି ଦଳ‌େର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟିକା କୁସୁମ ଟେଟେ ଓ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର