ପରୀ ମୃତ୍ୟୁ ମାମଲାରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପିର ପ୍ରତିନିଧି ଦଳ

 ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଏବିଭିପି ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର: ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଏହି ମାମଲା ଥମିବାର ନାଁ ନେଉନି। ଗତକାଲି ନୟାଗଡ଼ ଜିଲ୍ଲା ଯଦୁପୁର ଗାଁରେ ପରୀ ବାପା ମାଆଙ୍କୁ ଭେଟିବା ପରେ ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏସଆଇଟି ନୁହେଁ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଏହା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ଦଳ। ଏନେଇ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି।

ସେପଟେ ପରୀକୁ ନ୍ୟାୟ ଦାବିରେ ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଆଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରୀ ମୃତ୍ୟୁ ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଛି । ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବି କରାଯାଇଛି । ତେବେ ହାତରେ ବ୍ୟାନର ଧରି ମନ୍ତ୍ରୀଙ୍କ ଘର ଆଗରେ ନାରାବାଜି ଦେଉଥିବା ବେଳେ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇନେଇଛି।

ଗତକାଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ବିଧାୟକମାନେ ପୀଡ଼ିତ ପରିବାର ଲୋକଙ୍କୁ ଭେଟିଥିଲେ। ସେହିପରି ଗତକାଲି ଦିଲ୍ଲୀରେ ମଧ୍ୟ ପରୀକୁ ନ୍ୟାୟ ଦାବିରେ ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ପାଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ସମ୍ବନ୍ଧିତ ଖବର