ଭୁବନେଶ୍ବର : ଓଡ଼ିଶାବାସୀ ଲୋକସଭା ଓ ବିଧାନସଭାରେ ବିଜେପିକୁ ଯେଉଁ ମତଦାନ ଦେଇଛନ୍ତି, ତାହାକୁ ରାଜ୍ୟ ବିଜେପି ଗ୍ରହଣ କରି ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛି। ଓଡ଼ିଶାବାସୀ ବିଜେପିକୁ ୮ଟି ଲୋକସଭା ଆସନରେ ବିପୁଳ ପରିମାଣରେ ଜିତାଇବା ଅଭୂତପୂର୍ବ ବୋଲି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ, ୨୦୧୪ ନିର୍ବାଚନରେ ବିଜେପିର ଏକମାତ୍ର ସାଂସଦ ଜୁଏଲ ଓରାମ ଥିଲା ବେଳେ ଏଥର ୮ ଜଣ ସାଂସଦ ବିଜୟୀ ହୋଇଛନ୍ତି। ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରରେ ବିଜେପି ସରକାର ଗଠନ କରିବାରେ ଓଡ଼ିଶାବାସୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଲୋକସଭାରେ ବିଜେପିକୁ ୯୧ ଲକ୍ଷ ଭୋଟ୍ ମିଳିଛି, ଯାହା ମୋଟ୍ ମତଦାନର ୩୮.୫ ପ୍ରତିଶତ। ୨୦୧୪ରେ ବିଜେପିକୁ ୫୦ ଲକ୍ଷରୁ କମ୍ ଭୋଟ୍ ମିଳିଥିଲା, ଯାହା କି ମୋଟ୍ ମତଦାନର ୨୧ ପ୍ରତିଶତ ଥିଲା। ତେଣୁ ଏଥର ବିଜେପି ଭୋଟ୍ ଦୁଇ ଗୁଣ ବଢ଼ିଛି। ସେହିପରି ବିଧାନସଭା ନିର୍ବାଚନରେ ବିଜେପି ୨୩ଟି ଆସନରେ ଜିତିଥିଲା ବେଳେ ୭୬ ଲକ୍ଷ ଭୋଟ୍ ପାଇଛି। ବିଜେପି ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଛି। କଂଗ୍ରେସକୁ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଜନାଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ସହ ବିଜେପି ଦାୟିିତ୍ବବାନ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ରାଜ୍ୟରେ ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ବିଜେପି ଶୁଭେଚ୍ଛା ଜଣାଇଛି। ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାରେ ରାଜ୍ୟ ସରକାର ବାଧକ ନ ସାଜି ଶତ ପ୍ରତିଶତ ଲାଗୁ କରାନ୍ତୁ ବୋଲି ଦଳ ପରାମର୍ଶ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଯତୀନ ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର, ଉମାକାନ୍ତ ପଟ୍ଟନାୟକ ଓ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/samir.jpg)