ଭୁବନେଶ୍ବର: ବିଜେପି ବହୁମତ ହାସଲ କରି ନୂଆ ସରକାର ଗଠନ କରିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପତ୍ନୀଙ୍କ ସହ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କ୍ୟାମ୍ପସ-୨ରେ ବୁଥ୍‌ ନଂ-୫୯ରେ ମତଦାନ କରିିବା ପରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଲୋକମାନେ ଆଜି ପରିବର୍ତ୍ତନ ମୁହାଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା ନିବେଦନ କରିଛନ୍ତି, ଓଡ଼ିଶାବାସୀ ତାଙ୍କ ଉପରେ ଆଶୀର୍ବାଦ କରିବେ। ଦେଶରେ ମୋଦୀଙ୍କ ନେତୃତ୍ୱରେ ତୃତୀୟ ଥର ବିଜେପିର ସରକାର ହେବ। ଓଡ଼ିଶାର ୨୧ରୁ ୨୧ଟି ଲୋକସଭା ବିଜେପି ଜିତିବ। ଓଡ଼ିଶାରେ ମଧ୍ୟ ବିଜେପି ବହୁମତ ହାସଲ କରି ନୂଆ ସରକାର ଗଠନ କରିବ। ମୋଦୀ ସରକାରରେ ଗରିବ, ଯୁବକ, ମହିଳା, କୃଷକ, ବଞ୍ଚିତ ବର୍ଗର ଲୋକମାନଙ୍କ କଲ୍ୟାଣ ହେବ। ଏହା ପୂର୍ବରୁ ଶ୍ରୀ ପ୍ରଧାନ ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିରରେ ପ୍ରଥମେ ଦର୍ଶନ କରିଥିଲେ। ପରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବୁଥରୁ ବୁଥ୍‌ ବୁଲି ଜନସାଧାରଣ ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଥିଲେ।