ବିଜେପି ଜଗିବ ଧାନମଣ୍ଡି: ଧର୍ମେନ୍ଦ୍ର

ଭୁବନେଶ୍ୱର : ଧାନ ସଂଗ୍ରହ ଓ ଆମ ଗାଁ ଆମ ବିକାଶ ସମ୍ବନ୍ଧୀୟ କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ମୋଦୀ ସରକାର ଦେଉଥିବା ଧାନର ସହାୟକ ମୂଲ୍ୟରେ କ୍ୱିଣ୍ଟାଲ୍‌ ପିଛା ୨୦୦ ଟଙ୍କା ବୃଦ୍ଧି କରିଛନ୍ତି। ଯେପରି ବିଜେଡି ସରକାର ଓ ମିଲର୍‌ଙ୍କ ମଧୁଚନ୍ଦ୍ରିକାରେ ଚାଷୀଙ୍କ ଅର୍ଥ ହରିଲୁଟ୍‌ କରା ନ ଯାଏ, ସେଥି ପାଇଁ ଚାଷୀଙ୍କ ସହ ମିଶି ବିଜେପି ଧାନମଣ୍ଡି ଜଗିବ। ସେହିପରି ଆମ ଗାଁ ଆମ ବିକାଶ ଯୋଜନାରେ ବିନା ଟେଣ୍ଡର୍‌ରେ କାମ ପାଇଁ ନିଷ୍ପତ୍ତି ସିଧାସିଧା କିଛି ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ଦଳୀୟ କର୍ମୀଙ୍କୁ ଟଙ୍କା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ର।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଧାନକିଣା ନେଇ ଓଡ଼ିଶା କ୍ୟାବିନେଟ୍‌ ନିଷ୍ପତ୍ତିରେ କିଛି ନୂତନତ୍ୱ ନାହିଁ। ପ୍ରତି ବର୍ଷ ଚାଷୀଙ୍କ ଠାରୁ ସିଧା ଧାନ କିଣିବା ନାଁରେ ମିଲର୍‌ଙ୍କ ସହ ମିଶି ଚାଷୀମାନଙ୍କୁ ଶୋଷଣ କରାଯାଏ। ସେଥି ପାଇଁ ଓଡ଼ିଶାର ଚାଷୀଙ୍କ ମହଲରେ ବଡ଼ ବିରୋଧ ରହିଛି। ଏଥିର ମୋଦୀ ସରକାର ସହାୟକ ମୂଲ୍ୟରେ ୨୦୦ ଟଙ୍କା ବୃଦ୍ଧି କରିଛନ୍ତି। ଏହା ଦ୍ୱାରା ପୂର୍ବ ବର୍ଷ ତୁଳନାରେ ରାଜ୍ୟର ୧୫ ଲକ୍ଷ ଚାଷୀ ପରିବାରକୁ ୧୦୦୦ ରୁ ୧୨୦୦ କୋଟି ଟଙ୍କା ଅଧିକ ଯିବ। ଚାଷୀଙ୍କ ଆକାଉଣ୍ଟ୍‌କୁ ପୂର୍ବ ବର୍ଷମାନଙ୍କରେ ମଧ୍ୟ ଟଙ୍କା ଯାଇ ନାହିଁ। ଏଥର ଚାଷୀମାନଙ୍କ ସହ ମିଶି ବିଜେପି ମଣ୍ଡି ଜଗିବ, ଯେପରି ଧାନର ମାନ, ଓଜନ ଠିକ୍‌ ରହିବ ଓ ଠିକ୍‌ ସମୟରେ ଚାଷୀମାନେ ମୂଲ୍ୟ ପାଇପାରିବେ। ଧାନର ଠିକ୍‌ ମୂଲ୍ୟ ନ ଦେଲେ ଏହା ଜନଆନ୍ଦୋଳନର ରୂପ ନେବ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ନେଇ ବିଜେପି ମହାଲେଖାକାରଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲା। ବିନା ନିୟମ, ବିନା ଗାଇଡ୍‌ଲାଇନ୍‌ରେ ୧୨୦୦ କୋଟି ଟଙ୍କା ନିର୍ବାଚନ ପୂର୍ବରୁ ଦଳୀୟ କର୍ମୀଙ୍କୁ ବଣ୍ଟା ଯିବାର ବ୍ୟବସ୍ଥା କରାଯାଇଛି। ଓ୍ଵାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ଅଧିକାରକୁ ଛଡ଼ାଇ ନେଇ ମୁଖ୍ୟମନ୍ତ୍ରୀ ନିଜେ ସରପଞ୍ଚର କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବାଣ୍ଟୁଥିବା ଟଙ୍କାକୁ ବିଭାଗ ଦ୍ୱାରା କ୍ରିୟାନ୍ଵିତ କରିବାର ଅର୍ଥ ହେଉଛି ଜେଇଇଙ୍କ ପାଖରେ ଟଙ୍କା ରଖି ଦଳୀୟ କର୍ମୀଙ୍କୁ ଲାଭ ପହଞ୍ଚାଇବା। ନିଜେ ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ‘ଷ୍ଟପ୍‌ ପିସି’ ବୋଲି କହିଥିଲେ। ବିଭାଗ ସ୍ତରରେ କାମର କ୍ରିୟାନ୍ଵୟନ ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି ପିସିକୁ ପ୍ରୋତ୍ସାହନ ଦେଉଛି। ଏବେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ‘ଷ୍ଟପ୍‌ ପିସି’ ବୋଲି କହୁଛି।

ସମ୍ବନ୍ଧିତ ଖବର