ଉଚ୍ଛେଦକୁ ବିରୋଧ କରିବ ବିଜେପି

ପ୍ରଶାସନ ସ୍ପଷ୍ଟ ଚିତ୍ର ରଖୁନି, ଲୋକେ ଦ୍ବନ୍ଦ୍ବରେ ଅଛନ୍ତି: ବିଧାୟକ

ପୁରୀ : ଗତ ୧୯ ତାରିଖରୁ ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ‌ ବେଳେ ରହସ୍ୟମୟ ନିରବତା ଅବଲମ୍ବନ କରିଥିବା ବିଜେପି ଆଜି ହଠାତ୍ ଚେଇଁ ଉଠିଛି। ମଠ ଉଚ୍ଛେଦକୁ ବିରୋଧ କରିବା ସହିତ ବିକାଶ ଆ‌ଳରେ ଚାଲିଥିବା ସରକାରଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରାଯିବ ବୋଲି ଆଜି ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି।

ଶ୍ରୀ ଷଡ଼ଙ୍ଗୀ କହିଥିଲେ, ପୁରୀ ବିକାଶ ସଂପର୍କରେ ଜିଲ୍ଲା ପ୍ରଶାସନ କୌଣସି ସ୍ପଷ୍ଟ ଚିତ୍ର ରଖୁନଥିବାରୁ ଲୋକେ ଦ୍ବନ୍ଦ୍ବରେ ରହିଛନ୍ତି। ମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦ ପ୍ରସଙ୍ଗରେ ପୁରୀର କୌଣସି ରାଜନୈତିକ ଦଳ, ବରିଷ୍ଠ ନାଗରିକ, ମନ୍ଦିର ସେବା ସହିତ ଜଡ଼ିତ ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି, ଓକିଲ ସଂଘ, ବ୍ୟବସାୟୀ କାହା ସହିତ ବି ଆଲୋଚନା କରୁନାହାନ୍ତି। ଏ ସଂକ୍ରାନ୍ତରେ ପୂର୍ବରୁ କୌଣସି ଜନଶୁଣାଣି ମଧ୍ୟ ହୋଇନାହିଁ। ଅଥଚ ବିକାଶ ନାଁରେ ଶହ ଶହ ବର୍ଷର ପୁରୁଣା ଐତିହ୍ୟ ମଠକୁ ଧ୍ବଂସ କରାଯାଉଛି। ଅସୁରକ୍ଷିତ ଦର୍ଶାଇ ଯେଉଁ କୋଠା ଭଙ୍ଗାଯାଉଛି ତାହା ଅସୁରକ୍ଷିତ ନୁହେଁ। ଗତ ରଥଯାତ୍ରାରେ ଶହ ଶହ ସରକାରୀ ଅଧିକାରୀ, ସାଧାରଣ ଲୋକ ସେଠାରେ ବସି ରଥଯାତ୍ରା ଦେଖୁଥିଲେ। ବର୍ତ୍ତମାନ ଅସୁରକ୍ଷିତ କୋଠା ନାମରେ ଯେଉଁ ଘର ଭଙ୍ଗାଯାଉଛି, ସେଠ‌ାରେ ପୂର୍ବରୁ ପୁଲିସ ଥାନା ଥିଲା, ଆର୍‌ଆଇ ଅଫିସ ମଧ୍ୟ ଚ‌ାଲୁଥିଲା। ସରକାର ପ୍ରଥମେ ଭିତ୍ତିଭୂମିର ବିକାଶ କରି ମନ୍ଦିର ଚାରିପାଖରୁ ଉଚ୍ଛେଦ କରିଥିଲେ ଭଲ ହୋଇଥାନ୍ତା ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ। ତେବେ ବିଜେପି କିପ୍ରକାର ବିରୋଧ କରିବ ସେ ସଂପର୍କରେ ଶ୍ରୀ ଷଡ଼ଙ୍ଗୀ କିଛି ସ୍ପଷ୍ଟ କରି ନ ଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଶଙ୍କର ପରିଡା, ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ବରିଷ୍ଠ ନେତା ଚଣ୍ଡୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର