ଭୀମସାରରେ ଏକ୍‌ମୋ ମେସିନ୍ ନଲଗାଇବା ପ୍ରସଙ୍ଗ: ପଶ୍ଚିମ ଓଡ଼ିଶାରେ ବିକ୍ଷୋଭ କରିବ ବିଜେପି

ଦଳୀୟ କନ୍ଦଳ ଚାପିବାକୁ ବିଜେପିର ମନଗଢ଼ା ଅଭିଯୋଗ: ବିଜେଡି

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରରେ ପଶ୍ଚିମ ଓଡ଼ିଶା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଲା। ଏବେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବିଭିନ୍ନ ତଥ୍ୟ ଦେଇ କହୁଛନ୍ତି ଯେ, ଆମେ ତୃତୀୟ ଲହର ପାଇଁ ପ୍ରସ୍ତୁତ ଅଛୁ। ବାସ୍ତବରେ ପଶ୍ଚିମ ଓଡ଼ିଶାରେ କୌଣସି ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇନାହିଁ। ଏବେ ଏସ୍‌ସିବିକୁ ୨ଟି ଏକ୍‌‌ମୋ ମେସିନ୍ ଆସିଥିବା ବେଳେ ଆଉ ୭ଟି ଆସିବ ବୋଲି ଡିଏମ୍‌ଇଟି କହିଛନ୍ତି। ହେଲେ ସବୁ ଏକ୍‌ମୋ ମେସିନ୍ କେବଳ ଏସ୍‌ସିବିରେ କାହିଁକି ଲାଗିବ? ଭୀମ୍‌ସାରରେ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ। ଭୀମ୍‌ସାରରେ ଏକ୍‌ମୋ ମେସିନ୍ ଲଗାଇବା ଦାବି‌ରେ ଜୁଲାଇ ୨୮ରେ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେହିପରି ଅଗଷ୍ଟ ୨ରେ ଆର୍‌ଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିବାକୁ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ ଚେତାବନୀ ଦେଇଛନ୍ତି।

ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ କ୍ଷେତ୍ରରେ ଚରମ ଅବହେଳା କରିବା ସହ ପଶ୍ଚିମ ଓଡ଼ିଶାକୁ ସାବତ ପୁଅ ଭଳି ବ୍ୟବହାର କରୁଛନ୍ତି। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ଭାବ ଯୋଗୁଁ ଅନୁନ୍ନତ ଆଦିବାସୀ ଅଞ୍ଚଳର ଲୋକ ପୁଣି ଏକ୍‌ମୋ ଟ୍ରିଟମେଣ୍ଟ ପାଇଁ ଏୟାରଲିଫ୍ଟ ହେବେ। ପଶ୍ଚିମ ଓଡ଼ିଶାରେ ଏବେବି ଲୋକ ଆର୍‌ଟିପିସିଆର୍ ଟେଷ୍ଟ କଲେ ୮ଦିନ ପରେ ରିପୋର୍ଟ ଆସୁଛି। ସିଏଚ୍‌ସି ଓ ପିଏଚ୍‌ସିଗୁଡ଼ିକରେ ଅକ୍ସିଜେନ୍ ଶଯ୍ୟା ନାହିଁ। ବିଶେଷଜ୍ଞ କହୁଛନ୍ତି ତୃତୀୟ ଲହର ଆସିଲେ ଶିଶୁମାନେ ଅଧିକ ପ୍ରଭାବିତ ହେବେ। ହେଲେ ସିଏଚ୍‌ସି ଓ ପିଏଚ୍‌ସିରେ ଶିଶୁଙ୍କ ପାଇଁ ଉତ୍ସର୍ଗୀକୃତ ଶଯ୍ୟା ରଖାଯାଇନି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀ‌ରେ ବିଜେପି ବିଧାୟକ ନାଉରୀ ନାଏକ, ମୁକେଶ ମହାଲିଙ୍ଗ, ଶଙ୍କର ଓରାମ, ନିତ୍ୟାନନ୍ଦ ଗଣ୍ଡ, ଯୁ‌ବମୋର୍ଚ୍ଚା ସଭାପତି ଇରାସିସ୍‌ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଦଳୀୟ କନ୍ଦଳ ଚାପିବାକୁ ବିଜେପିର ମନଗଢ଼ା ଅଭିଯୋଗ: ବିଜେଡି
ଭୁବନେଶ୍ୱର : ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ରାଜନୀତି ପାଇଁ ସ୍ୱାସ୍ଥ୍ୟସେବାକୁ ଆଳ କରି ସରକାରଙ୍କୁ ସମାଲୋଚନା କରିବା ଉଚିତ୍‍ ନୁହେଁ । ଦଳୀୟ କନ୍ଦଳକୁ ଚାପିବା ପାଇଁ ବିଜେପି ଏହିଭଳି ମନଗଢ଼ା ଅଭିଯୋଗ କରୁଛି ବୋଲି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି। ବିଜେପି ପକ୍ଷରୁ ଜୁଲାଇ ୨୮ରେ ପଶ୍ଚିମ ଓଡ଼ିଶାର ସବୁ ସଦର ମହକୁମାରେ ଏବଂ ଅଗଷ୍ଟ ୨ରେ ଆର୍‌ଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହେବ ବୋଲି ବିଜେପି କହିଥିବାରୁ ଏହାର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ବାବୁ କହିଛନ୍ତି ଯେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। କୋଭିଡ୍ ସମୟରେ ଅକ୍ସିଜେନ୍‍ ଶଯ୍ୟା, ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର ଶଯ୍ୟା ବୃଦ୍ଧି ଫଳରେ ସ୍ଥାନୀୟ ଅଞ୍ଚଳ ସମେତ ଛତିଶଗଡ଼ ଓ ଝାଡ଼ଖଣ୍ଡର ଲୋକ ଆସି ଏଠାରେ ଚିକିତ୍ସିତ ହେଉଥିଲେ। ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ପଡ଼ୋଶୀ ରାଜ୍ୟର ଲୋକେ ପ୍ରଶଂସା କରୁଥିବା ବେଳେ କେବଳ ରାଜନୀତି ପାଇଁ ବିଜେପି ଏଭଳି ଆରୋପ ଲଗାଉଛି। ଭୀମ୍‌ସାରକୁ ସୁପର ସ୍ପେସିଆଲିଟି ବ୍ୟବସ୍ଥା ସହିତ ଅଭିଜ୍ଞ ଡାକ୍ତର ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଏ କ୍ଷେତ୍ରରେ ସରକାର ଯତ୍ନବାନ ଅଛନ୍ତି।

ସମ୍ବନ୍ଧିତ ଖବର