ରାଜ୍ୟ ସରକାରଙ୍କ ବିରୋଧରେ ଆସିବ ୩୬ ମହାଦୁର୍ନୀତିର ମହାଭିଯୋଗ: ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ବିଜେପି ୧୮ ବର୍ଷର ରାଜ୍ୟ ସରକାରଙ୍କ ଠାରୁ ହିସାବ ମାଗିବ। ଏଥି ପାଇଁ ଦଳ ବ୍ୟାପକ ପ୍ରସ୍ତୁତି କରିଛି। ବିଜେଡି ସରକାରର ୧୮ ବର୍ଷ ପୂର୍ତ୍ତି ଅବସରରେ ୩୬ଟି ମହାଦୁର୍ନୀତିର ଏକ ମହାଅଭିଯୋଗ ଫର୍ଦ୍ଦ ବିଜେପି ପକ୍ଷରୁ ପ୍ରକାଶ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେଇଥିବା ଅବସରରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଥିଲେ, ଏକ ଉତ୍ତରଦାୟୀ ସରକାର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ଆଗରେ ହିସାବ ଦେଉଛନ୍ତି। କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତ ଅବସରରେ ଆସନ୍ତା ୨୬ ତାରିଖରେ କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଦେଶ ସାମ୍ନାରେ ପ୍ରଧାନମନ୍ତ୍ରୀ ତାଙ୍କ ସରକାରର ରିପୋର୍ଟ କାର୍ଡ ରଖିବେ। ଏହି ଅବସରରେ ମୋଦି ଶାସନର ୪୮ ମାସରେ ଓଡ଼ିଶା ପାଇଁ ବିଭିନ୍ନ ଉପଲବ୍ଧି ମଧ୍ୟରୁ ୪୮ଟି ପ୍ରମୁଖ ସଫଳତାର ଦସ୍ତାବିଜ୍‌କୁ ଲୋକାର୍ପିତ କରାଯିବ। ସରକାରଙ୍କ ଦ୍ୱାରା ଚତୁର୍ଦ୍ଦଶ ଅର୍ଥ କମିସନ୍‌ରେ ଅଧିକ ବ୍ୟୟବରାଦ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ଘର, ସୌାଭଗ୍ୟ ଯୋଜନାରେ ସମସ୍ତଙ୍କ ଘରେ ବିଜୁଳି, ୨୫ ଲକ୍ଷ ମହିଳାଙ୍କୁ ମାଗଣାରେ ଏଲ୍‌ପିଜି, ମୁଦ୍ରା, ଜନଧନ ଆଦି ଯୋଜନାରେ ଓଡ଼ିଶାର ହିତାଧିକାରୀମାନଙ୍କ ସହିତ ସମ୍ପର୍କ ସ୍ଥାପନ କରାଯିବା ପାଇଁ ଚେଷ୍ଟା କରାଯିବ। ବ୍ୟାପକ ସୋସିଆଲ୍‌ ଅଡିଟ୍‌ ମାଧ୍ୟମରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ୱେଚ୍ଛାସେବୀମାନଙ୍କୁ ସାମିଲ୍‌ କରାଯାଇ କେଉଁ ଯୋଜନାରେ ଲାଭ ମିଳୁଛି, ସେ ନେଇ ଜନସାଧାରଣଙ୍କ ସହ ସିଧା ସିଧା ଆଲୋଚନା କରାଯିବ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି କେନ୍ଦ୍ର ମନ୍ତ୍ରୀ କହିଲେ, ରାଜ୍ୟରେ ଚାଲିଥିବା ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ ସରକାର ବିରୋଧରେ ନିର୍ଣ୍ଣାୟକ ଅଭିଯାନ ଆରମ୍ଭ କରାଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ବିଜ୍ଞାପନରେ ମିଥ୍ୟା ତଥ୍ୟ ଆଧାରରେ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରଚାର କରାଯାଉଛି। ଭାରତରେ ଶିଶୁ ମୃତ୍ୟୁ ହାର ୪୧ ଥିଲା ବେଳେ ଓଡ଼ିଶାରେ ୪୦ ଅଛି ବୋଲି ଦର୍ଶାଯାଇ ତାହାକୁ ବଡ଼ ସଫଳତା ଭାବେ ବର୍ଣ୍ଣନା କରାଯାଇଛି। କେରଳରେ ଶିଶୁ ମୃତ୍ୟୁହାର ୬ ରହିଛି ଓ ତାହା ସହିତ ଓଡ଼ିଶାର ପରିସଂଖ୍ୟାନକୁ ରାଜ୍ୟ ସରକାର କାହିଁକି ତୁଳନା କରୁନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ବିଭାଗର ସାମ୍ପଲ୍‌ ରେଜିଷ୍ଟ୍ରେସନ୍‌ ସିଷ୍ଟମ୍‌(ଏସ୍‌ଆର୍‌ଏସ୍‌) ତଥ୍ୟ ଅନୁଯାୟୀ ୨୦୧୨ ମସିହାରେ ଶିଶୁ ମୃତ୍ୟୁହାର କେନ୍ଦ୍ରରେ ୪୨ ଓ ରାଜ୍ୟରେ ୫୩ ଏବଂ ୨୦୧୬ରେ କେନ୍ଦ୍ରରେ ୩୪ ଓ ରାଜ୍ୟରେ ୪୪ ରହିଛି। ଯଦି ଏହି ତଥ୍ୟ ଭୁଲ୍‌, ତେବେ ସେ କ୍ଷମା ମାଗିବାକୁ ପ୍ରସ୍ତୁତ। ଯଦି ରାଜ୍ୟ ସରକାର ଭୁଲ୍‌, ତେବେ ରାଜ୍ୟବାସୀଙ୍କ ପାଖରେ ଭୁଲ୍‌ ମାଗିବାକୁ ଶ୍ରୀ ପ୍ରଧାନ ଆହ୍ଵାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟର ସୌଦାଗର ଓ ସେ ରାଜ୍ୟବାସୀଙ୍କ ସହ ଛଳନା କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର