ପ୍ରଧ‌ାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ : ରାଜଭବନ ସାମ୍ନାରେ ବିଜେପିର ଧାରଣା ଆଜି

ବିଜେପି ଅସହିଷ୍ଣୁ ହୋଇପଡ଼ିଛି: ବିଜେଡି

ଭୁବନେଶ୍ବର : କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ପକ୍କା ଘର ଯୋଗାଇ ଦେଉଛନ୍ତି। ଏହି ଯୋଜନା‌େର ଓଡ଼ିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି। କିନ୍ତୁ ରାଜ୍ୟ ସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ବଦଳାଇ ‘ମୋ ଆବାସ’ ନାମରେ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହା ବିରୋଧରେ ଗତ ୨୭ ତାରିଖରେ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ୍ ଓ ପୌରପାଳିକା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସତ୍ତ୍ବେ ରାଜ୍ୟ ସରକାର ଚେତି ନାହାନ୍ତି। କେନ୍ଦ୍ରୀୟ ଯୋଜନା ହଡ଼ପ ନେଇ ରାଜ୍ୟ ସରକାରଙ୍କ ଚଞ୍ଚକତା ବିରୋଧରେ ଆସନ୍ତାକାଲି ବିଜେପି ପକ୍ଷରୁ ରାଜଭବନ ସାମ୍ନାରେ ଧାରଣା ଦିଆଯିବା ସହ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯିବ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଲେ, ଚାରିଟି ପ୍ରସଙ୍ଗକୁ ନେଇ ଏହି ଧାରଣା ଦିଆଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାଁ କାଟି ରାଜ୍ୟ ସରକାର ବିଜୁ ପକ୍କା ଘର କହି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ୨୦୧୮ ସର୍ଭେ ଅନୁଯାୟୀ ୪ ଲକ୍ଷ ଘରର କାର୍ଯ୍ୟାଦେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ବଣ୍ଟନ କରି ଗାଇଡ୍‌ ଲାଇନ୍ ଭିତ୍ତିରେ କାର୍ଯ୍ୟାଦେଶ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫଳକ ଲଗାଯିବାର ଆବଶ୍ୟକତା ରହିଛି। କିନ୍ତୁ ରାଜ୍ୟ ସରକାର ଏହାକୁ ନିଜ ଲୋଗୋରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବିଜୁ ପକ୍କା ଘରର ଫଟୋ ଲଗାଇ ମୋ ଆବାସ ଲେଖି କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି। ସେହିପରି ସମସ୍ତେ ଘର ପାଇବେ ବୋଲି ଯେଉଁ ସର୍ଭେ ଚାଲିଛି, ସେଥିରେ ମଧ୍ୟ ଚଞ୍ଚକତା ହେଉଛି। ‌ସର୍ଭେର ଯେଉଁ ବିଜ୍ଞାପନ ପ୍ରକାଶ ପାଇଥିଲା, ସେଥିରେ କୌଣସି ଗୋଟିଏ ଜାଗାରେ ପ୍ରଧା‌ନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ବୋଲି ଲେଖାଯାଇନି। ସର୍ଭେ ହେଲା ପରେ ଯେଉଁ ପ୍ରାରମ୍ଭିକ ତାଲିକା ଆସିଛି, ତାହାର ପରବର୍ତ୍ତୀ ପ୍ରକ୍ରିୟା ହେଉଛି ଘରର ଫଟୋ ଉଠାଇ ଜିଓ ଟାଗିଙ୍ଗ୍ କରିବା କଥା। କିନ୍ତୁ ଶାସକ ଦଳର ବିଧାୟକମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆର୍‌ଏସ୍‌ମାନଙ୍କୁ ଧରି କେବଳ ବିଜେଡି କର୍ମୀ ଓ ସମର୍ଥକମାନଙ୍କ ଘର ଜିଓ ଟାଗିଙ୍ଗ୍ କରିବା ଦୁର୍ଭାଗ୍ୟଜନକ। ରାଜ୍ୟର ବିଭିନ୍ନ ସ୍ଥାନରେ ଘର କରାଇବା ନାଁରେ ବିଜେଡି ବିଧାୟକମାନେ ଘର ପିଛା ୨୧ ହଜାର ଟଙ୍କା ପିସି ଆଦାୟ କରିବାରେ ଲାଗିଛନ୍ତି। ଯେଉଁମାନଙ୍କ ନାଁ ପ୍ରାରମ୍ଭିକ ତାଲିକାରେ ଅଛି, ସେମାନଙ୍କ ଘର ଜିଓ ଟାଗିଙ୍ଗ୍ ହେବ ବୋଲି ନିଷ୍ପତ୍ତି ହୋଇଛି। ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ବିଧାୟକଙ୍କ ନାଁରେ ପିସି ଓ ୧୧ ହଜାର ଟଙ୍କା ବ୍ଲକ୍ ଅଫିସର୍‌ଙ୍କ ନାଁରେ ପିସି ଆଦାୟ କରାଯାଉଛି। ରାଜ୍ୟ ସରକାରଙ୍କ ଏହି ଚଞ୍ଚକତା ବିରୋଧରେ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

ବିଜେପି ଅସହିଷ୍ଣୁ ହୋଇପଡ଼ିଛି: ବିଜେଡି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ବିଜେପିର ଅଭିଯୋଗର ଜବାବ ରଖିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି, ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେଥି ପାଇଁ ନିଜ ରାଜନୈତିକ ପ୍ରାସଙ୍ଗିକତା ରଖିବା ପାଇଁ ବିଜେପି ନେତାମାନେ ଏପରି ଅପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ଆବାସ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭଲ ପ୍ରଦର୍ଶନ ପାଇଁ କେନ୍ଦ୍ର ସରକାର ପ୍ରଶଂସା କରିବା ସହ ପୁରସ୍କୃତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ୬୦ ପ୍ରତିଶତ ଓ ରାଜ୍ୟର ୪୦ ପ୍ରତିଶତ ଅଂଶ ରହିଛି। ଯଦି ରାଜ୍ୟର ପ୍ରଶାସନିକ ଖର୍ଚ୍ଚ ଓ ତଦାରଖ ଖର୍ଚ୍ଚ ଆଦିକୁ ମିଶାଇଲେ ଏହା କେନ୍ଦ୍ରର ଅଂଶ ଠାରୁ ଅଧିକ ହୋଇଯିବ। ଏହା ବାଦ୍ ଓଡ଼ିଶାର ଯେଉଁ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉ ନାହାନ୍ତି, ସେମାନଙ୍କୁ ବିଜୁ ପକ୍କା ଘର ଯୋଜନାରେ ଘର ଦିଆଯାଉଛି। ଏହି ଯୋଜନାରେ ରାଜ୍ୟ ସରକାର ସବୁ ଖର୍ଚ୍ଚ ବହନ କରୁଛନ୍ତି। ବିଜେଡି ସରକାରଙ୍କ ଆବାସ କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକମାନେ ବହୁତ ସୁବିଧା ପାଉଛନ୍ତି। ବିଜେପି ନେତା ଏହାକୁ ସହ୍ୟ କରିପାରୁ ନାହାନ୍ତି। ଅସହିଷ୍ଣୁ ହୋଇ ସେମାନେ ଏପରି ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି ବୋଲି ବିଜେଡି କହିଛି।

ସମ୍ବନ୍ଧିତ ଖବର