୨୧ରୁ ୨୧ ବିଜେପି ଜିତିବ: ଧର୍ମେନ୍ଦ୍ର

ଭୁବନେଶ୍ବର : ନିର୍ବା‌ଚନୀ ପ୍ରଚାର ଆରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନୟାଗଡ଼ରେ ବିଜେଡି ୨୧ରୁ ୨୧ଟି ଲୋକସଭା ଆସନ ଜିତିବ ବୋଲି ଦୃଢ଼ୋକ୍ତି ଦେଖାଇଥିଲେ। ଏହାକୁ ଗ୍ରହଣ କରି ନାହାନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ କହିଛନ୍ତି, ନ‌େରନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ସମସ୍ତ ୨୧ରୁ ୨୧ଟି ଲୋକସଭା‌ ଆସନରେ ଜିତିବ। ମେ’ ମାସ ଶେଷ ସପ୍ତାହରେ ଚିତ୍ର ସ୍ପଷ୍ଟ ହୋଇଯିବ। ଓଡ଼ିଆ ଲୋକମାନେ ନରେନ୍ଦ୍ର ମୋଦୀଙ୍କୁ ଭଲ ପାଉଛନ୍ତି। ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କୁ ପକ୍କା ଘର ମିଳିବାର ଭରସା ନରେନ୍ଦ୍ର ମୋଦୀଙ୍କ ଉପରେ ଓଡ଼ିଆ ଲୋକଙ୍କର ଅଛି।

ବିଜେଡିକୁ ସମାଲୋଚନା କରି ଶ୍ରୀ ପ୍ରଧାନ ଆହୁରି କହିଥି‌ଲେ, ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଅର୍ଥ ସଂସଦୀୟ କମିଟିର ଅଧ୍ୟକ୍ଷ ପାଇଁ ସେ ମୋଦୀଙ୍କ ଦୂତ ଭାବେ ଯୋଗାଯୋଗ କରିଥିଲେ। କିନ୍ତୁ ବିଜେଡି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ବିଜେଡି ସାଂସଦମାନେ ସଂସଦରେ ଓଡ଼ିଶା କଥା ନ ଉଠାଇ ପ୍ରତିରକ୍ଷା ଦଲାଲ ମିଶେଲ ମାମାର ଭୋଜି ଖାଛଉଛନ୍ତି। ସେହିପରି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭାର ଉପସଭାପତି ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ବିଜେଡି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଓଡ଼ିଆ ଲୋକଙ୍କୁ ବଡ଼ ପଦବିକୁ ନବୀନ ବାବୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି। ସେହିପରି ୩୩ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ କରିବାକୁ ବିଜେଡି କହୁଥିଲା ବେଳେ ଓଡ଼ିଶାର ମହିଳା ଦେଶରେ ସବୁଠାରୁ ଅସୁରକ୍ଷିତ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର