ପ୍ରତାପ ଜେନାଙ୍କ ଗିରଫ ଓ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେପି

ଅବିଭକ୍ତ କଟକ ଜିଲ୍ଲାର ସମସ୍ତ ଥାନା ଏବଂ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଆଜି ବିକ୍ଷୋଭ

ଭୁବନେଶ୍ବର : ରାଜନୀତିରେ ହିଂସାକାଣ୍ଡ ଆଦୌ ଗ୍ରହଣୀୟ ନୁହେଁ। ଅସାମାଜିକ ନେତୃତ୍ୱ କାରଣରୁ ଶାନ୍ତ ଅଞ୍ଚଳ ଭାବେ ପରିଚିତ ମାହାଙ୍ଗାରେ ଆଜି ରାଜନୈତିକ ହିଂସାକାଣ୍ଡ ଦିନକୁ ଦିନ ବୃଦ୍ଧି ପାଇଚାଲିଛି। ବରିଷ୍ଠ ବିଜେପି ନେତା ତଥା

ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ ବୋଲି ମନ୍ତବ୍ୟ ରଖି ବିଜେପି ସଭାପତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଦୁର୍ନୀତି ଏବଂ ଗରୀବଲୋକଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କଲେ ହିଂସା ପରାୟଣ ହୋଇ ଶାସକ ବିଜେଡି ମଣିଷ ମାରୁଛି। ସ୍ୱର୍ଗତଃ ବରାଳଙ୍କ ହତ୍ୟା କାରଣରୁ ସ୍ଥାନୀୟ ଅଂଚଳରେ ଯେଉଁ ଭାବେ ଜନ ଅସନ୍ତୋଷ ପ୍ରକାଶ ପାଇଛି, ତାହା ସ୍ୱାଭାବିକ। ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୋଧ ଲଢେଇରେ ଜୀବନ ହରାଇଥିବା ଦୁଇ ଅମୁଲ୍ୟ ଜୀବନର ବଳିଦାନ କେବେହେଲେ ବ୍ୟର୍ଥ ଯିବନାହିଁ। ଆସନ୍ତା କାଲି ଅବିଭକ୍ତ କଟକ ଜିଲ୍ଲାର ସମସ୍ତ ଥାନା ଏବଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରାଯାଇ ବିକ୍ଷୋଭ ହେବା ସହ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ସମିର ମହାନ୍ତି କହିଛନ୍ତି। କେବଳ ସେତିକି ନୁହେଁ, ଏହି ଲଢେଇ ଜାରି ରଖିବ। ସ୍ଥାନୀୟ ପୁଲିସ ଓ ଏସପିଙ୍କୁ ସାକ୍ଷାତ କରି ଏତଲା ଆଧାରରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଛି। ଏଥିରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ମଧ୍ୟ ଉଲ୍ଲେଖ ଅଛି। ତେଣୁ ମନ୍ତ୍ରୀ ଶ୍ରୀ ଜେନା ତୁରନ୍ତ ଇସ୍ତଫା ଦିଅନ୍ତୁ, ନଚେତ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ଜିଲ୍ଲା ଏସପିଙ୍କ ନିକଟେର ଅନୁରୂପ ଦାବି ରଖିଛନ୍ତି।

ସମ୍ବନ୍ଧିତ ଖବର