ପୁରୀରେ ହେବ ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଧିବେଶନ : ୩ରେ ବିଶାଳ ଶୋଭାଯାତ୍ରା, ଯୋଗ ଦେବେ ଅମିତ ଶାହ

ଭୁବନେଶ୍ବର, : ଆସନ୍ତା ଫେବ୍ରୁଆରି ୨ ଓ ୩ ତାରିଖରେ ପୁରୀରେ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ ଅନୁଷ୍ଠିତ ହେବ। ପୂର୍ବରୁ ଏହା ଭୁବନେଶ୍ବରରେ ହେବାକୁ ସ୍ଥିର ହୋଇଥିଲା ବେଳେ ପରେ କାର୍ଯ୍ୟସୂଚୀକୁ ପରିବର୍ତ୍ତନ କରାଯାଇଛି। ଏ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଆ‌ୟୋଜନ କରାଯାଇଥିଲା। ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ବିଧାୟକ ରବି ନାଏକ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସାରା ଓଡ଼ିଶା ତଥା ଆଦିବାସୀମାନଙ୍କ ଠାକୁର। ଶବର ରାଜା ବିଶ୍ବାବସୁଙ୍କ ପାଖରେ ଜଗନ୍ନାଥ ମହାପ୍ରଭୁ ପୂର୍ବରୁ ନୀଳମାଧବ ରୂପେ ପୂଜା ପାଉଥିଲେ। ଏହି ମହାନ ସଂଯୋଗ ଅବସରରେ ମହାଧିବେଶନକୁ ପୁରୀରେ କରାଯିବା ପାଇଁ ସ୍ଥିର କରାଯାଇଛି।

ଶ୍ରୀ ନାଏକ ଆହୁରି ସୂଚନା ଦେଇଛନ୍ତି, ଆଦିବା‌ସୀଙ୍କ ଅଧିକାର ପାଇଁ ଆୟୋଜିତ ଏହି ଅଧିବେଶନରେ ଦେଶର ବିଭିନ୍ନ ସ୍ଥାନରୁ ୫ ହଜାରରୁ ଅଧିକ ପ୍ରତିନିଧି ସାମିଲ ହେବେ। ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୨ ତାରିଖରେ ମହାଧିବେଶନ ହେବ। ୩ ତାରିଖରେ ହେବାକୁ ଥିବା ‘ଆଦିବାସୀଙ୍କ ହକ୍’ ଅଭିଯାନ ଶୋଭାଯାତ୍ରାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗ ଦେବେ। ଆଜିର ପ୍ରସ୍ତୁତି ବୈଠକରେ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ରାମ ବିଚାର ନେତମ, ରାଜ୍ୟ ଉପସଭାନେତ୍ରୀ ସୁକେଶି ଓରାମ, ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି ଓ ଅନନ୍ତ ନାୟକଙ୍କ ସମେତ ମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

ସମ୍ବନ୍ଧିତ ଖବର